ଭୟଙ୍କର ବିସ୍ଫୋରଣରେ ଥରିଲା କାବୁଲ ମସଜିଦ୍
ରବିବାର କାବୁଲ ମସଜିଦ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଘଟିବା ଫଳରେ ଅନେକ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ଏବଂ ସଂଖ୍ୟାଧିକ ଆହତ ହୋଇଛନ୍ତି। ତାଲିବାନର ମୁଖପାତ୍ର କହିଛନ୍ତି ଯେ ରବିବାର ଦିନ ଆଫଗାନିସ୍ତାନର ରାଜଧାନୀରେ ଏକ ମସଜିଦ ପ୍ରବେଶକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟାଯାଇଥିଲା। କାବୁଲର ଇଦ୍ଗା ମସଜିଦକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟିଥିଲା, ଯେଉଁଠାରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ଙ୍କ ମା’ଙ୍କ ପାଇଁ ଏକ ସ୍ମୃତିସଭାର ଆୟୋଜନ କରାଯାଉଥିଲା।
ତେବେ ବର୍ତ୍ତମାନ ଯାଏଁ ଆକ୍ରମଣ ପଛରେ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହିଁ। କୁହାଯାଉଛି ଯେ ଆଇଏସ୍ଆଇଏସ୍-କେ ତଥା ଇସଲାମିକ-ଷ୍ଟେଟ୍-ଖୁରାସନ ଏହି ଆକ୍ରମଣ କରିଥାଇପାରେ। ଏହା ହେଉଛି ବିଶ୍ୱ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ର ଆଫଗାନିସ୍ତାନ ଶାଖା। ଆଇଏସଆଇଏସ ତାଲିବାନର ଜଣେ ଶତ୍ରୁ ଭାବରେ ପରିଚିତ। ଯିଏ ଲଗାତର ଭାବେ ତାଲିବାନ ବିରୁଦ୍ଧରେ ଆକ୍ରମଣ କରୁଛି।
ଅନ୍ୟପକ୍ଷରେ ଶନିବାର ଜଲାଲାବାଦ ସହରରେ କିଛି ବନ୍ଧୁକଧାରୀ ଦୁଇଜଣ ତାଲିବାନୀ ଯୋଦ୍ଧା ଓ ଦୁଇଜଣ ସାଧାରଣ ନାଗରିକଙ୍କୁ ଗୁଳିକରି ହତ୍ୟା କରିଥିଲେ। ତାଲିବାନର ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଇସଲାମିକ ଷ୍ଟେଟ (ଆଇଏସ)ର ଆତଙ୍କବାଦୀମାନେ ନଙ୍ଗରହାର ଠାରେ ରହିଛନ୍ତି। ଏହାପୂର୍ବରୁ ତାଲିବାନ ବିରୋଧରେ ହୋଇଥିବା ଅନେକ ଆକ୍ରମଣ ପାଇଁ ନିଜକୁ ବି ଆଇଏସ ଦାୟୀ କରିଛି। ନଙ୍ଗରହାର କୃଷି ବିଭାଗର ପୂର୍ବ ପ୍ରବକ୍ତା କହିଛନ୍ତି କି ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା କିଛି ସାଧାରଣ ନାଗରିକଙ୍କ ପରିଚୟ ମିିଳିଛି।
Powered by Froala Editor