ବିଜେପି ସମର୍ଥକଙ୍କ ଆକ୍ରମଣରେ ଯୁବକ ମୃତ ।

ବିଜେପି ସମର୍ଥକଙ୍କ ଆକ୍ରମଣରେ ଯୁବକ ମୃତ ।
ପୁରୀ: ପିପିଲି ନିର୍ବାଚନକୁ କେନ୍ଦ୍ର କରି ଗତ ୧୧ ଦିନ ଡେଲାଙ୍ଗ ଜେନାପୁରରେ ଘଟିଥିବା ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୁବକଙ୍କର ମୃତୁ୍ୟ ହୋଇଛି । ଏ ନେଇ ମୃତକଙ୍କ ପତ୍ନୀ ବନିତା ବେହେରା ଡେଲାଙ୍ଗ ଥାନାରେ ବିଜେପି ସମର୍ଥକ ତିନି ଭାଇଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଭାଇ ଫେରାର ହୋଇଯାଇଛନ୍ତି । ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ଠାରୁ ପ୍ରକାଶ ଯେ ଗତ ୧୧ ତାରିଖ ଦିନ ଡେଲାଙ୍ଗ ଥାନାର ଜେନାପୁର (ଦେପୁର)ରେ ଏକ ନିର୍ବାଚନୀ ହିଂସା ଘଟିଥିଲା । ବନିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଁର ବିଜେପି ସମର୍ଥକ ଦେପୁର ବ୍ରାହ୍ମଣ ସାହିର ରମେଶ ଚନ୍ଦ୍ର ଷଡଙ୍ଗୀ (ପେଜୁଆ) ଉମେଶ ଚନ୍ଦ୍ର ଷଡଙ୍ଗୀ (ଅର୍ମି) ଓ ସତ୍ୟନାରାୟଣ ଷଡଙ୍ଗୀ ମିଶି ତାଙ୍କ ଘରକୁ ଆସିଥିଲେ । ତାଙ୍କ ସ୍ୱାମୀ ପାଣ୍ଡବ ବେହେରାଙ୍କୁ ୫ ହଜାର ଟଙ୍କା ଦେଇ ବିଜେପି ପାଇଁ ପ୍ରଚାର କରିବାକୁ କହିଥିଲେ । ପାଣ୍ଡବ ଏଥିରେ ସହମତି ପ୍ରକାଶ ନ କରିବାରୁ ସେମାନେ ମିଳିମିଶି ପାଣ୍ଡବଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପାଣ୍ଡବ ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡ, ଅଣ୍ଟା ଓ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ପ୍ରାଥମିକ ଚିକିତ୍ସା ପରେ ପାଣ୍ଡବଙ୍କୁ ଘରେ ରଖି ପତ୍ନୀ ବନିତା ସେବା କରିଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ସେମାନେ ପାଣ୍ଡବଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲକୁ ନେଇଯାଇଥିଲେ । ତାଙ୍କର ଚିକିତ୍ସା ଧୀନ ଅବସ୍ଥାରେ ମୃତୁ୍ୟ ଘଟିଛି ।