ଭୋକ ଆଗରେ ସବୁ ତୁଚ୍ଛ : ରାସ୍ତାରୁ ଗୋଟାଇ ତରକାରୀ ଖାଇଲେ ବୃଦ୍ଧା

ପେଟ ଭୋକିଲା । ଆହାର ଗଣ୍ଡେ ପାଇଁ ପାଖରେ ସମ୍ବଳ ନାହିଁ । ଏମିତି ଅବସ୍ଥା ଦେଖି କେହି ଟିଫିନ୍ (ପୁରୀ ଓ ତରକାରୀ) ଖାଇବାକୁ ଦେଇଥିଲେ । ହେଲେ ସେତକ ବି ରାସ୍ତାରେ ପଡିଗଲା । ଭୋକରେ ଆଉଟୁପାଉଟୁ ହେଉଥିବା ବୃଦ୍ଧା ବା କରିଥାନ୍ତେ କ’ଣ? ରାସ୍ତାରୁ ଗୋଟାଇ ଖାଇବାକୁ ଲାଗିଲେ । ମାଲକାନଗିରି ସଦର ମହକୁମା ରାସ୍ତାରେ ଏମିତି ଦୃଦୟ ବିଦାରକ ଦୃଶ୍ୟ ଘଟିଛି । ଯାହାର ଫଟୋ ଏବେ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଖବର ନେବାରୁ ଜଣାପଡ଼ିଲା ଯେ, ବୃଦ୍ଧାଙ୍କ ବୟସ ପ୍ରାୟ ୭୦ ବର୍ଷ ହେବ । ଆଖିକୁ ଭଲ ଭାବେ ଦିଶୁନି। ଅଣ୍ଟା ସଳଖି ଚାଲିବା ପାଇଁ ବଳ ପାଉ ନାହିଁ। ଦେହର ପଞ୍ଜରା ହାଡ଼ ଦେଖାଯାଉଛି। ବୃଦ୍ଧାଙ୍କୁ କେହି ଜଣେ ଟିଫିନରେ ଖାଦ୍ୟ ଦେଇଥିଲେ । ତେବେ ସେହି ଟିଫିନକୁ ଧରି ସେ ଧିରେ ଧିରେ ଚାଲୁଥିବା ବେଳେ ହଠାତ ରାସ୍ତା ଉପରେ ତାଙ୍କ ହାତରୁ ଖସି ବିଛାଡ଼ି ହୋଇପଡ଼ିଥିଲା ତରକାରୀ। । ତରକାରୀ ଜରି ତଳେ ପଡିଯିବାରୁ ସେ ବହୁ ଦୁଃଖ ପ୍ରକାଶ କରିଥିଲେ ଏବଂ ସେଠାରେ ହିଁ ତଳେ ବସି ପଡିଥିଲେ ବୃଦ୍ଧା ଜଣକ।
ଜରିରେ ଥିବା ପୁରୀକୁ ସେହି ତଳେ ପଡିଥିବା ତରକାରୀ ସହ ଲଗାଇ ଖାଇଥିଲେ। ଭୋକର କଷ୍ଟକୁ ଅଙ୍ଗେ ନିଭାଉଥିବା ବୃଦ୍ଧା ଜଣକ ପାରିପାର୍ଶ୍ୱିକ ସ୍ଥିତିକୁ ସମ୍ପୂର୍ଣ୍ଣ ଭୁଲିଗଲେ। ଠିକ ଭାବେ କଥା କହିପାରୁନଥିବା ବେଳେ ସେ ନିଜ ନାମକୁ ମଧ୍ୟ ସେ ସ୍ପଷ୍ଟ କହିପାରୁନଥିଲେ । ତେବେ ତଳେ ପଡିଥିବା ତରକାରୀକୁ ନଖାଇବା ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେ ଶୁଣିନଥିଲେ ।
ଅପରପଟେ ଜିଲ୍ଲାରେ ବୃଦ୍ଧାଶ୍ରମ ଥିବା ବେଳେ ଏଭଳି ଅସହାୟ ବୃଦ୍ଧାଙ୍କୁ ଚିହ୍ନଟ କରି ସେଠାରେ ରଖାଯିବା ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବୃଦ୍ଧା ଜଣକ ଭତ୍ତା ପାଉଛନ୍ତି କି ନାହିଁ ପଚାରିବାରୁ ସେ କିଛି କହିପାରିନଥିଲେ। ପାଟି ଖନେଇ ଯାଉଥିବା ବେଳେ ହାତ ଥରୁଥିଲା। ଦୀର୍ଘ ସମୟ ଧରି ସେ ରାସ୍ତା ଉପରେ ହିଁ ବସି ରହିଥିଲେ। ଆଉ କିଛି ସମୟ ପରେ ହାତରେ ମୁଣିଟିଏ ନେଇ ଅଣ୍ଟା ନଇଁ ନଇଁ ଧିରେ ଧିରେ ସେଠାରୁ ସେ ଚାଲିଯାଇଥିଲେ।
ସୂଚନାଯୋଗ୍ୟ, କିଛି ଦିନ ତଳେ ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲାରେ ଭୋକର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଏକ ଛୋଟ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଥିବା ଦେଖିବାକୁ ମିଳିଥିଲା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତର ଗଣୁଆ ଖଣି ଅଞ୍ଚଳର ଏଭଳି ଦୃଶ୍ୟ ସୋଶାଲ ମିଡିଆରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । କିଛି ବ୍ୟକ୍ତି ଭୋଜିଭାତ କରି ଖାଇବା ପରେ ଅଇଁଠା ଖଲି ପକାଇ ଚାଲିଯାଇଥିଲେ। ସେହି ଅଇଁଠା ପତ୍ରକୁ ଛୁଆଟି ଚାଟି ଖାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା।