କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ପାଇଁ ୭ ଦିନ ସମୟ ମିଳିବ

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବୁଧବାର ବିୟୋଗ ପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମାନକୁ ଆସିଛି । ତାହା ହେଲୋ ନିର୍ବାଚନ ପାଇଁ ପୁଣି ଥରେ ସାନି ବିଜ୍ଞପ୍ତି ପ୍ରକାଶ ପାଇବ । ତା’ର ୭ ଦିନ ପରେ କଂଗ୍ରେସ ନିଜର ପ୍ରାର୍ଥୀ ଦେଇପାରିବେ । ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
ସେ କହିଛନ୍ତି ଯେ, କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ରିଟର୍ଣ୍ଣିଂ ଅଫିସର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ଏନେଇ ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯାଇଛି । ନିର୍ବାଚନ କମିଶନ ଭୋଟ ଗ୍ରହଣ ନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବେ । ସମ୍ପୂର୍ଣ୍ଣ ନିର୍ବାଚନକୁ ସିଡୁ୍ୟଲ ଆଉଥରେ ପ୍ରକାଶ ପାଇବ । କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବା ପାଇଁ୭ ଦିନ ସମୟ ମିଳିବ । ନିର୍ବାଚନ କମିଶନ ଯେଉଁ ତାରିଖ ଧାର୍ଯ୍ୟ କରିବେ, ସେ ଅନୁସାରେ ଭୋଟ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
ପ୍ରକାଶ ଯେ, କରୋନାରେ ସଂକ୍ରମିତ ଥାଇ ଅଜିତ ମଙ୍ଗରାଜ ବୁଧବାର ମୃତୁ୍ୟବରଣ କରିଛନ୍ତି । ତାଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ସ୍ଥଗିତ ରହିଛି । ପୁରୀ ଅତିରିକ୍ତ ଜିଲ୍ଲାପାଳ ଭୋଟ ସ୍ଥଗିତ ରହିଲା ବୋଲି ଗତକାଲି ବିଧିବଦ୍ଧ ଘୋଷଣା କରିଥିଲେ ।
ପ୍ରକାଶ ଯେ, ଆଗାମୀ ୧୭ରେ ପିପିଲି ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ସରିଥିଲା ସମସ୍ତ ପ୍ରସ୍ତୁତି । ଏପରିକି ଆଜି ପିପିଲିରେ ପହଂଚିଥାନ୍ତି ପୁଲିଂ ପାର୍ଟି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପୁଲିଂ ପାର୍ଟି ଓ ପ୍ରିଜାଇଡିଂ ଅଫିସରଙ୍କୁ ଦିଆଯାଇଥିଲା କରୋନା ଟିକା । ନିର୍ବାଚନ ପରିଚାଳନା ନେଇ ଦୁଇ ଦୁଇ ଥର ପ୍ରଶିକ୍ଷଣ ବି ନେଇସାରିଥିଲେ । ୧୧୦ନମ୍ବର ପିପିଲି ବିଧାନସଭାରେ ଉପନିର୍ବାଚନ ପାଇଁ ୩୪୮ବୁଥରେ ଭୋଟ ଗ୍ରହଣ ହେବାର ଥିଲା ।
ପ୍ରତି ବୁଥରେ ୪ଜଣ ପୁଲିଂ ପାର୍ଟି ଓ ପ୍ରିଜାଇଣ୍ଡିଂ ଅଫିସରଙ୍କ ସହ ଜଣେ ଲେଖାଏଁ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥାନ୍ତା । ନିର୍ବାଚନ ପାଇଁ ଆଜି କର୍ମଚାରୀମାନେ ଯିବା ଲାଗି ଗାଡି ବି ଠିକ୍ ହୋଇସାରିଥିଲା । ହେଲେ କଂଗ୍ରେସର ପିପିଲି ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଖବର ପରେ ସବୁ କିଛି ବନ୍ଦ ହୋଇଗଲା । ଏପରିକି ଆଜି ପ୍ରଚାରର ଶେଷ ଦିନ ହୋଇଥିବା ବେଳେ ଗତକାଲି ଅଧାରୁ ପ୍ରଚାର ବନ୍ଦ କରିଥିଲେ ୩ପ୍ରମୁଖ ରାଜନୈତିକ ଦଳ ।