ରାଜ୍ୟ ସ୍ୱାସ୍ଥ୍ୟ ସଚିବ ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି: ଧର୍ମେନ୍ଦ୍ର

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି: ଧର୍ମେନ୍ଦ୍ର
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ପଶ୍ଚିମ ଓଡ଼ିଶାରେ ସ୍ଥିିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । କିନ୍ତୁ ଟିକା ଅଭାବନେଇ ରାଜ୍ୟରେ ଶତାଧିକ ଟିକାକେନ୍ଦ୍ର ବନ୍ଦ ହେବାକୁ ବସିଲାଣି । ତେବେ ରାଜ୍ୟରେ ଟିକା ଅଭାବ ଅଭିଯୋଗ ନେଇ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ, ଭାରତରେ ୧୧/୧୨ କୋଟି ଟିକା ମଧ୍ୟରୁ ଓଡ଼ିଶାକୁ ୪୫ ଲକ୍ଷ ଟିକା ଆସିଛି । ରାଜ୍ୟରେ ଟିକାର ଅଭାବ ବିବାଦ ଏଠିକାର ସ୍ୱାସ୍ଥ୍ୟ ସଚିବ ଆରମ୍ଭ କରିଛନ୍ତି । ମୋ ମତ ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଏକଥା ଭାବୁନାହାନ୍ତି । ନିଜର ବାହାପିଆ ପଣ ଦେଖାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ଏଭଳି କହିଛନ୍ତି । ଏଠିକାର ସ୍ୱାସ୍ଥ୍ୟ ସଚିବ ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି । ମୁଁ ତାଙ୍କୁ ଶୁଭେଚ୍ଛା ଦେଉଛି । ଅନୁରୋଧ ଏପରି କ୍ରାଇସେସ ତିଆରି ନକରନ୍ତୁ । ଟିକା ଅଭାବ ହୋଇନି । ଶୀଘ୍ର ଆଉ ୨/୩ଟି ଟିକାକୁ ସରକାର ଅନୁମତି ଦେବେ । ଏହା ଦ୍ୱାରା ଟିକା ଅଧିକ ମାତ୍ରାରେ ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।