ଓଡ଼ିଶାରେ ଆଉ ୨୨୬୭ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୨୨୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୩୧୪ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୯୫୩ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୫ ହଜାର ୩୫୩ ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୪୫୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୮ ସଂକ୍ରମିତ ଚିହ୍ନଟ ହୋଇ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା ।ସେହିଭଳି ୫ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଉପରେ ରହିଛି । ଅନ୍ୟ ୮ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦ ଉପରେ ରହିଛି ।
ସେହିଭଳି ବରଗଡରୁ ୧୨୦, ସମ୍ବଲପୁର ୧୨୦, କଟକରୁ ୧୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁରରୁ ୧୦୪ ଜଣ, ନୂଆପଡା ୧୦୪, ବଲାଙ୍ଗିରରେ ୯୩ ଜଣଙ୍କୁ ଚିହ୍ନଟ କରାଯାଇଛି।
ଅନୁରୂପଭାବେ ଷ୍ଟେଟ ପୁଲରୁ ୮୧ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗଞ୍ଜାମରୁ ୭୦, ପୁରୀ ୭୦, ବାଲେଶ୍ୱର ୬୭, ମୟୁରଭଞ୍ଜ ୬୦, ଝାରସୁଗୁଡା ୫୫, କେନ୍ଦୁଝର ୫୫, ଯାଜପୁରରେ ୫୨ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪୮, ଜଗତସିଂହପୁରରୁ ୩୫, କଳାହାଣ୍ଡି ୩୪, ଗଜପତି ୩୧, ଭଦ୍ରକ ୨୮, ରାୟଗଡା ୨୭, ନୟାଗଡ ୧୯, ସୁବର୍ଣ୍ଣପୁର ୧୬, ଦେବଗଡ ୧୨, କନ୍ଧମାଳ ୧୨, କେନ୍ଦ୍ରାପଡାରେ ୧୨ ଜଣ ଚିହ୍ନଟ ହୋଇଛନ୍ତି। କୋରାପୁଟ ଜିଲାରୁ ୧୨, ଢେଙ୍କନାଳ ୫, ମାଲକାନଗିରିରେ ୨ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୫୫ ହଜାର ୩୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୨୨୪୪ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୪୧ ହଜାର ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୯୪ ଲକ୍ଷ ୬୧ ହଜାର ୭୨୦ ସାମ୍ପୁଲ ଟେଷ୍ଟ୍ ହୋଇଛି।