୬ ମହିଳାଙ୍କ ଦେହରେ ରକ୍ତ ଜମାଟ ବାନ୍ଧିଲା, ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ ଟିକା ଉପରେ ରୋକ ଲଗାଇଲା ଆମେରିକା

ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟବହାର ଉପରେ ଆଜି ଆମେରିକା ସରକାର ସାମୟିକ ଭାବେ ରୋକ ଲଗାଇ ଦେଇଛନ୍ତି। ଟିକା ନେବା ପରେ ୬ ଜଣ ମହିଳା ରକ୍ତ ଜମାଟ ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହି ରିପୋର୍ଟ ମିଳିବା ପରେ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଟିକାକରଣ ଉପରେ ରୋଗ ଲଗାଇଛି। ଆମେରିକାର ଔଷଧ ନିୟନ୍ତ୍ରକ ସଂସ୍ଥା ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନ୍ଷ୍ଟ୍ରେସନ୍ ପକ୍ଷରୁ ଏକ ଟ୍ବିଟ୍ ଯୋଗେ କୁହାଯାଇଛି ଯେ ‘ଆଜି ଏଫ୍ଡିଏ ଏବଂ ସିଡିସି(ସେଣ୍ଟ୍ରର ଫର୍ ଡିଜିଜ୍ କଣ୍ଟ୍ରୋଲ୍) ପକ୍ଷରୁ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ କରୋନା ଟିକା ଉପରେ ଏକ ବିବୃତି ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ଟିକାର ବ୍ୟବହାର ଉପରେ ରୋକ ଲଗାଇବାକୁ ଆମେ ସୁପାରିସ କରିଛୁ।’ ଟିକା ନେବା ପରେ ହିତାଧିକାରୀଙ୍କ ଶରୀରରେ ଯେଉଁ ଭଳି ଭାବେ ରକ୍ତ ଜମାଟ ବାନ୍ଧୁଛି ତାହା ନିଶ୍ଚୟ ଚିନ୍ତାର କାରଣ। ଏହି ଘଟଣାକୁ ନେଇ ଦେଶର ଚିକିତ୍ସା ଅନୁସନ୍ଧାନ ସଂସ୍ଥା, ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ସମୀକ୍ଷା କରବେ ବୋଲି ଏଫ୍ଡିଏ ପକ୍ଷରୁ କୁହାଯାଇଛି।
ତେବେ ଇତି ମଧ୍ୟରେ ୬୮ ଲକ୍ଷ ଲୋକ ଜନସନ ଆଣ୍ଡ ଜନସନର ପ୍ରସ୍ତୁତ କରିଥିବା ଟିକାର ଡୋଜ୍ ନେଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଟିକାର ଦ୍ୱିତୀୟ ଡୋଜ୍ ମଧ୍ୟ ନେଇଛନ୍ତି। ଏହା ସତ୍ତ୍ୱେ ଟିକାକରଣ ଉପରେ ରୋକ ଲାଗିବାରୁ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।