ପ୍ରତ୍ୟେକ ପରିବାରର ଦୈନନ୍ଦିନ ଖାଦ୍ୟରେ ମିଲେଟ୍ ସ୍ଥାନ ପାଇବା ଆବଶ୍ୟକ : ରାଜ୍ୟପାଳ
ଭୁବନେଶ୍ୱର: ଦୈନନ୍ଦିନ ଖାଦ୍ୟରେ ଶ୍ରୀଅନ୍ନ (ମିଲେଟ୍) ସାମିଲ କରିବା ସହ ଭୂ-ପ୍ରଜାତି ବିହନର ସଂରକ୍ଷଣ ଓ ସୁଦୃଢ଼ୀକରଣ ଦିଗରେ ସାମୂହିକ ପ୍ରୟାସ କରିବାକୁ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ଆହ୍ୱାନ ଜଣାଇଛନ୍ତି । ବିଶେଷକରି ଯୁବପିଢ଼ି, ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀମାନେ ନିଜ ଖାଦ୍ୟାଭ୍ୟାସରେ ମାଣ୍ଡିଆ, ବାଜରା, ଜୋଅର ଆଦି ମିଲେଟକୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟପାଳ । ଭୁବନେଶ୍ୱରଠାରେ ଆୟୋଜିତ ‘ଶ୍ରୀଅନ୍ନ ଏବଂ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ-୨୦୨୬ ସମ୍ମିଳନୀକୁ ଉଦ୍ଘାଟନ ଅବସରରେ ଏହା କହିଛନ୍ତି ରାଜ୍ୟପାଳ ।
ଭାରତର କୃଷି ଐତିହ୍ୟରେ ମିଲେଟ୍ର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଶତାବ୍ଦୀ ଶତାବ୍ଦୀ ଧରି ଏହି ଶସ୍ୟ ଆମ ପାରମ୍ପରିକ ଖାଦ୍ୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି । ଓଡ଼ିଶାର ଆଦିବାସୀ ଓ ଅନାବୃଷ୍ଟି ପ୍ରବଣ ଅଞ୍ଚଳରେ ମିଲେଟ୍ ଚାଷ ସ୍ଥାନୀୟ ଜୀବିକା ଓ ସାଂସ୍କୃତିକ ପରମ୍ପରା ସହ ନିବିଡ଼ ଭାବେ ଜଡ଼ିତ । ମାଣ୍ଡିଆ ଚାଷର ପ୍ରସାର ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ସହ ଏହି ପାରମ୍ପରିକ ଐତିହ୍ୟର ସୁରକ୍ଷା ସମ୍ଭବ ହୋଇପାରିବ । ପ୍ରତ୍ୟେକ ପରିବାରର ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆ, ବାଜରା, ଜୋଅର ଆଦି ମିଲେଟ୍ ସ୍ଥାନ ପାଇବା ଆବଶ୍ୟକ । ସୁସ୍ଥ ଖାଦ୍ୟାଭ୍ୟାସ କେବଳ ବ୍ୟକ୍ତିଗତ ସ୍ୱାସ୍ଥ୍ୟର ସୁରକ୍ଷା ନୁହେଁ, ବରଂ ଚାଷୀ ଓ ଆମର କୃଷି ପରମ୍ପରା ପ୍ରତି ସମ୍ମାନର ପ୍ରତୀକ କହିଛନ୍ତି ରାଜ୍ୟପାଳ ।
ଓଡ଼ିଶାର ମିଲେଟ ଉତ୍ପାଦକୁ ବ୍ୟାପକ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ପ୍ରକ୍ରିୟାକରଣ, ପ୍ୟାକେଜିଂ, ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଓ ବିପଣନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ । ଭୂ-ପ୍ରଜାତି ବିହନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟପାଳ ଗୋଷ୍ଠୀଭିତ୍ତିକ ବିହନ ବ୍ୟାଙ୍କ ପ୍ରତିଷ୍ଠା, ଦେଶୀ କିସମର ବିହନର ଦସ୍ତାବିଜୀକରଣ ଏବଂ ବିହନ ବିନିମୟକୁ ପ୍ରୋତ୍ସାହନ ଦେବାକୁ ଆହ୍ୱାନ ଜଣାଇଥିଲେ । ସ୍ଥାନୀୟ ବିହନ କିସମଗୁଡ଼ିକ ପିଢ଼ି ପରେ ପିଢ଼ି ଚାଷୀଙ୍କ ଅଭିଜ୍ଞତା ଓ ଜ୍ଞାନର ପ୍ରତିଫଳନ ଏବଂ କୃଷି ଜୈବ ବିବିଧତାର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ ବୋଲି ରାଜ୍ୟପାଳ କହିଥିଲେ ।
ରାଜ୍ୟ ସରକାରଙ୍କ ଶ୍ରୀଅନ୍ନ ଅଭିଯାନ ଏବଂ ମିଲେଟର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ, ପାରମ୍ପରିକ ବିହନର ସଂରକ୍ଷଣ, କୃଷି ବିବିଧତାର ସୁରକ୍ଷା ଓ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ସମସ୍ତଙ୍କ ମିଳିତ ପ୍ରୟାସ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ପୂରଣରେ ସହାୟକ ହେବ ।
ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇସିଏଆର୍ର ମହାନିର୍ଦ୍ଦେଶକ ମାଙ୍ଗି ଲାଲ ଜାଟ୍, ଏମ୍.ଏସ୍.ଏସ୍.ଆର୍.ଏଫ୍.ର ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଏବଂ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।
Powered by Froala Editor