୧୩ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, କୁହୁଡ଼ି ସାଙ୍ଗକୁ ବଢ଼ିବ ଶୀତ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ବର୍ତ୍ତମାନ ଉତ୍ତରପ୍ରଦେଶର ଉତ୍ତର-ପଶ୍ଚିମଠାରୁ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲମ୍ବିଛି। ଏହା ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟଦେଇ ସମୁଦ୍ରପତ୍ତନଠାରୁ ୩.୧ କି.ମି ଉପରେ ଗତି କରୁଛି। ଏହା ଘନୀଭୂତ ହୋଇ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହା ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି। ଫଳରେ ତାପମାତ୍ରା କମିବା ସହ କୁହୁଡ଼ି ଓ ଶୀତ ବଢ଼ିବ। ଅନ୍ୟପକ୍ଷରେ ଗତ ୨୪ଘଣ୍ଟାର ତଥ୍ୟ ଅନୁଯାୟୀ, କିଛି ସ୍ଥାନରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ ହୋଇଥିବାବେଳେ କୋରାପୁଟରେ ସ୍ବାଭାବିକଠାରୁ ୫.୨ ଡିଗ୍ରୀ ତାପମାତ୍ରା ଅଧିକ ରହିଥିଲା। ଫୁଲବାଣୀ ଓ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ସିମିଳିଗୁଡ଼ାରେ ୧୧.୬, ଜି. ଉଦୟଗିରିରେ ୧୨.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪, ଭବାନୀପାଟଣାରେ ୧୪.୬ ଡିଗ୍ରୀ, ନବରଙ୍ଗପୁରରେ ୧୫ ଡିଗ୍ରୀ, ରାଉରକେଲାରେ ୧୫.୬ ଡିଗ୍ରୀ, କଟକରେ ୧୭.୪ ଏବଂ ଭୁବନେଶ୍ୱରରେ ୧୮.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସହିତ ରାଜ୍ୟରେ ଧୀରେ ଧୀରେ ଶୀତ ପ୍ରକୋପ ବଢ଼ିବାକୁ ଯାଉଛି।
Powered by Froala Editor