ଦର୍ଶକଙ୍କ ପାଇଁ ଖୋଲିଲା କଳିଙ୍ଗ ଷ୍ଟୁଡିଓ
ଭୁବନେଶ୍ୱର : ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି । ଖୋଲିଛି କଳିଙ୍ଗ ଷ୍ଟୁଡିଓ । ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପାର୍ବଣ ଅବସରରେ ଉଭୟ ଦର୍ଶକ ଏବଂ ସୁଟିଂ ପାଇଁ ଷ୍ଟୁଡିଓକୁ ଖୋଲିଛନ୍ତି କଳିଙ୍ଗ ଷ୍ଟୁଡିଓଜ୍ ଲିମିଟେଡ୍ କର୍ତ୍ତୃପକ୍ଷ । ବିଧିବଦ୍ଧ ଭାବେ ଗତ ୨୦ ତାରିଖ ମଙ୍ଗଳବାରଠାରୁ ଷ୍ଟୁଡିଓ ଦର୍ଶକଙ୍କ ପାଇଁ ଖୋଲାଯାଇଛି । ବୁଲିବା ପାଇଁ ଧାର୍ଯ୍ୟ ସମୟ ସହ ସ୍ୱତନ୍ତ୍ର ଟିକଟ୍ ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକ, ସିନେ ନିର୍ମାତା ଓ ଟୁର୍ ଅପରେଟରଙ୍କର ଯେଉଁ ଦାବି ବା ଉତ୍ସୁକତ ଥିଲା, ଷ୍ଟୁଡିଓ କେବେ ଖୋଲିବ ? ତାହା ଶେଷ ହୋଇଛି । ବର୍ତ୍ତମାନ ଷ୍ଟୁଡିଓ ଖୋଲିବା ପରେ ପ୍ରବଳ ଭିଡ଼ । ବୁଲିବା ଲାଗି ଦର୍ଶକଙ୍କ ସହ ସୁଟିଂ ପାଇଁ ବି ନିର୍ମାତାମାନେ ଲାଇନ୍ରେ । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଷ୍ଟୁଡିଓରେ ମରାଯାଇଥିବା ଧାର୍ଯ୍ୟ ଟିକଟ୍ ଦର ଅନୁସାରେ ଷ୍ଟୁଡିଓ ଭିତରକୁ ସାଧାରଣ ପ୍ରବେଶ ପାଇଁ ଥରକୁ ଜଣକ ପିଛା ଟିକଟ୍ ଦର ୨୦ ଟଙ୍କା ରହିଛି । ଯାହା ବାଧ୍ୟତାମୂଳକ । ସେହିପରି ଷ୍ଟୁଡିଓର ମୁଖ୍ୟ ଆକର୍ଷଣ ସ୍ନୋ- ପାର୍କ, ମୁଭି ମ୍ୟାଜିକ୍ (ଥ୍ରିଡି ମୁଭି) ଏବଂ ଆଡ୍ଭେଞ୍ଚର ଲ୍ୟାଣ୍ଡ୍ (ଭୂତ ବଙ୍ଗଳା) ପାଇଁ ସ୍ୱତନ୍ତ୍ର ଭାବେ ଅଲଗା ଅଲଗା ଟିକଟ୍ ରହିଛି । ସ୍ନୋ-ପାର୍କକୁ ୧୫୦ ଟଙ୍କା ଟିକଟ୍ ରହିଥିବା ବେଳେ ଥ୍ରିଡି ମୁଭି ୧୦୦ ଏବଂ ଭୂତ ବଙ୍ଗଳାକୁ ୨୫ ଟଙ୍କା ରହିଛି । ମୋଟ୍ ୨୭୫ଟଙ୍କା ହେଲେ ଏହି ୩ଟି ସ୍ଥାନ ବୁଲିପାରିବ । ବାକି ପ୍ରବେଶ ଟିକଟ୍କୁ ମିଶାଇଲେ ୨୯୫ ଟଙ୍କା ଦେଲେ ଜଣେ ପୂରା ଷ୍ଟୁଡିଓ ବୁଲି ଆସିବ । ପ୍ରତିଟି ସ୍ଥାନ ଲାଗି ଅଲଗା ଅଲଗା ଟିକଟ୍ ନେବାକୁ ପଡ଼ିବ ।
ଦୁଇଟି ପର୍ଯ୍ୟାୟରେ ଦର୍ଶକଙ୍କୁ ଭିତରକୁ ଛଡ଼ାଯିବ । ଦିନ ୧୦ରୁ ଅପରାହ୍ଣ ୧ଟା ୩୦ ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ୩୦ । ଉଭୟ ପର୍ଯ୍ୟାୟରେ ୭-୭ ୧୪ଟି ସ୍ଲଟ୍ ରହିଛି । ପ୍ରତି ସ୍ଲଟ୍ ପିଛା ୨୫ମିନିଟ୍ ସମୟ ରହିଛି । ସ୍ନୋ-ପାର୍କ କେବଳ ଏହି ନିର୍ଦ୍ଧାରିତ ସ୍ଲଟ୍ ସମୟ ଅନୁସାରେ ଚାଲିବ । ବଡ଼ କଥା ହେଲା ଟିକଟ୍ ଫେରସ୍ତ କିମ୍ବା ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ସୂଚିତ କରାଯାଇଛି । ତେବେ ଦୁଇଦିନରେ ବହୁ ଲୋକ ଟିକଟ୍ ଷ୍ଟୁଡିଓ ବୁଲିଥିବା ବେଳେ ସ୍ନୋ-ପାର୍କ, ଥ୍ରିଡି ମୁଭି ଏବଂ ଭୂତ ବଙ୍ଗଳାର ମଜା ନେଇଥିଲେ । କିନ୍ତୁ କିଛି ଲୋକ ଟିକଟ୍ ଦରଦାମ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଚାର ନେଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
Powered by Froala Editor