ଭକ୍ତଙ୍କ ଠାରୁ ଲୁଟୁଥିଲେ ମୋବାଇଲ, ୫ ଗିରଫ
ଭୁବନେଶ୍ୱର: ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ମା'ଙ୍କୁ ଦର୍ଶନ କରୁଥିବା ବେଳେ କିଛି ବ୍ୟକ୍ତି ଆସି ଭକ୍ତଙ୍କୁ ଘେରି ଭିଡ଼ ତିଆରି କରୁଛନ୍ତି । ବ୍ୟକ୍ତି ଭିଡ଼ ଭିତରେ ଅନ୍ୟମନସ୍କ ହେବାର ସୁଯୋଗ ନେଇ ଲୁଟପାଟ୍ କରୁଛନ୍ତି । ଏପରି ଅଭିଯୋଗ ହେବା ପରେ ନୟାପଲ୍ଲୀ ଥାନା ପୋଲିସ ଆକ୍ସନ ମୋଡରେ ଆସି ଏହା ପଛରେ ଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି । ଏହି ଗ୍ୟାଙ୍ଗରେ ୪ ଜଣ ବଙ୍ଗୀୟ ମହିଳା ଓ ଜଣେ ଓଡ଼ିଆ ଯୁବକ ରହିଛନ୍ତି । ଅଭିଯୁକ୍ତମାନେ ହେଲେ ଶାରଦା ଦାସ ଓରଫ ରେଖା, ବବ୍ଲି ରାଓ, ଲକି ସିଂ, ସଞ୍ଜନା ରାଏ ଓ କେନ୍ଦ୍ରାପଡାର ଜିତେନ୍ଦ୍ର ମାଝୀ (୩୦) । ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀର ୫ଟି ଚୋରା ମୋବାଇଲ ଜବତ କରାଯାଇଛି । ବୁଧବାର କୋର୍ଟଚାଲାଣ ପରେ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଏହି ଗ୍ୟାଙ୍ଗରେ ଆଉ କିଛି ସଦସ୍ୟ ଥିବା ସନ୍ଦେହରେ ପୋଲିସ ଅଧିକ ଛାନଭିନ ଜାରି ରଖିଛି । ପୋଲିସ ସୂଚନା ଅନୁଯାୟୀ, ତଦନ୍ତରୁ ଜଣାପଡ଼ିଛି ଯେ, ସୋମବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଅଭିଯୋଗକାରୀ ହେମନ୍ତ ପୂଜାରୀ ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପକୁ ଯାଇଥିଲେ । ସେ ମା'ଙ୍କ ଦର୍ଶନ କରୁଥିବା ବେଳେ କିଛି ହିନ୍ଦୀଭାଷୀ ମହିଳା ତାଙ୍କୁ ଘେରିଯାଇ ଜାଣିଶୁଣି ଧସ୍ତାଧସ୍ତି ଓ କୃତ୍ରିମ ଭିଡ଼ ସୃଷ୍ଟି କରିଥିଲେ । ସେହି ଭିଡ଼ ଭିତରେ କେହି ଜଣେ ତାଙ୍କ ପକେଟରୁ ମୋବାଇଲ୍ ଫୋନ୍ ଚୋରି କରିନେଇଥିଲା । ଏନେଇ ସେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା (ନଂ.୮୫୭/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ମଙ୍ଗଳବାର ପୋଲିସ ଟିମ୍ ଖବର ପାଇଥିଲା ଯେ, ପୁଣିଥରେ ସେହି ପୂଜା ମଣ୍ଡପ ନିକଟରେ ଜଣେ ପୁରୁଷ ଏବଂ ୪ ଜଣ ହିନ୍ଦୀଭାଷୀ ମହିଳା ମିଶି କୃତ୍ରିମ ଭିଡ଼ ସୃଷ୍ଟି କରି ଚୋରି କରୁଛନ୍ତି । ଖବର ପାଇ ପୋଲିସ ଟିମ୍ ସାଦା ପୋଷାକରେ ସେଠାରେ ଚଢ଼ାଉ କରିଥିଲା ।ପୋଲିସକୁ ଦେଖି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏହି ୫ ଜଣ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା । ଯାଞ୍ଚ ବେଳେ ଅଭିଯୁକ୍ତ ମହିଳା ଶାରଦା ଦାସ ଓରଫ ରେଖା ହାତରେ ଧରିଥିବା ଏକ ଧଳା ଜରି ବ୍ୟାଗ୍ ଭିତରୁ ୫ଟି ମୋବାଇଲ୍ ଫୋନ୍ ବାହାରିଥିଲା । ପଚରାଉଚରା ବେଳେ ସେମାନେ ପୂଜା ମଣ୍ଡପ ଭିଡ଼ରୁ ଲୋକଙ୍କ ଠାରୁ ଏସବୁ ମୋବାଇଲ୍ ଚୋରି କରିଥିବା ସ୍ୱୀକାର କରିଥିଲେ ।
Powered by Froala Editor