୨ ମୁଣ୍ଡିଆ ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ୧୧ ତାରିଖରେ ଜନ୍ମ ନେଇଥିବା ୨ ମୁଣ୍ଡିଆ ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଶିଶୁ ବିଭାଗର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ମଳଦ୍ବାର ବିହୀନ ଏହି ଶିଶୁଟି ସପ୍ତାହ ଭିତରେ ଆଖି ବୁଜି ଦେଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ତିଡିପଦର ଗ୍ରାମର ତ୍ରିଲୋଚନ ମାଝୀଙ୍କ ପତ୍ନୀ ରୁନି ମାଝୀ(୨୨)ଙ୍କ ପ୍ରଥମ ଗର୍ଭରୁ ଏହି ଶିଶୁଟି ଜନ୍ମ ହୋଇଥିଲା। ଶିଶୁଟିର ୨ଟି ମୁଣ୍ଡ ସହ ୨ଟି ମେରୁଦଣ୍ଡ, ୨ଟି ହାତ ଓ ୨ଟି ଗୋଡ଼ ରହିଥିଲା। ହେଲେ ମଳଦ୍ବାର ନଥିଲା। ଶିଶୁ ବିଭାଗ ଆଇସିୟୁରେ ରଖି ତାର ଚିକିତ୍ସା କରାଯାଉଥିଲା। ସ୍ବତନ୍ତ୍ର ଡାକ୍ତରୀ ଦଳ ନିରୀକ୍ଷଣ କରୁଥିଲେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଠିକ ଭାବେ ବିକାଶିତ ହୋଇପାରିନଥିଲା। ଅସ୍ତ୍ରୋପଚାର ପାଇଁ ଏହି ୨ ମୁଣ୍ଡିଆ ଶିଶୁର ଶରୀର ପ୍ରସ୍ତୁତ ନଥିଲା। ଏହି ୬ ଦିନର ଚିକିତ୍ସା ପରେ ମଧ୍ୟ ରକ୍ତସଞ୍ଚାଳନ ଠିକ ହୋଇ ପରିନଥିଲା। ହୃଦ୍ସ୍ପନ୍ଦନ ଅଧିକ ଥିବାରୁ ଡାକ୍ତରମାନେ ଅସ୍ତ୍ରୋପଚାର କରିପାରି ନଥିଲେ। ଶେଷରେ ଶନିବାର ଏହି ୨ ମୁଣ୍ଡିଆ ଶିଶୁଟି ଏନଏନସିୟୁରେ ଚିକିତ୍ସାଧୀନ ବେଳେ ମୃତ୍ୟୁ ହୋଇଯାଇଥିବା ଡାକ୍ତରମାନେ ପରିବାର ଲୋକଙ୍କୁ ଜଣାଇଥିଲେ।
Powered by Froala Editor