ହକିରେ ଭାରତକୁ କାଂସ୍ୟ

ଟୋକିଓ : ଦୀର୍ଘ ୪ ଦଶନ୍ଧି ପ୍ରତୀକ୍ଷାର ଅବସାନ ଘଟିଛି । ଅଲମ୍ପିକ୍ସରେ ଭାରତ ହକିରେ ପଦକ ଜିଣିଛି । ଜର୍ମାନୀକୁ ହରାଇ ଭାରତୀୟ ଦଳ କାଂସ୍ୟ ପଦକ ପାଇଛି । ଆଜି ସକାଳୁ ସକାଳୁ ଭାରତୀୟଙ୍କ ନଜର ହକି ମ୍ୟାଚ ଉପରେ ରହିଥିଲା । ଏହି ମ୍ୟାଚଟି ଅତ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା । ମ୍ୟାଚ ପ୍ରାରମ୍ଭରେ ଜର୍ମାନୀ ଖେଳାଳୀମାନେ ଭାରତୀୟଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଏକଦା ଜର୍ମାନୀ ୩-୧ରେ ଆଗୁଆ ରହି ନୈରାଶ୍ୟ ଖେଳାଇ ଦେଇଥିଲା । ତେବେ ପରେପରେ ଭାରତୀୟ ଖେଳାଳୀମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ସିମ୍ରନଜିତ, ରୂପିନ୍ଦର, ହରମନପ୍ରୀତ, ହାର୍ଦ୍ଧିକ ସିଂଙ୍କ ଗୋଲ ବଳରେ ଭାରତ ଅଗ୍ରଣୀ ହାସଲ କରି ପାରିଥିଲା । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ଭଲ ପ୍ରଦର୍ଶନ କରିଛି । ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତ ସେମି ଫାଇନାଲକୁ ଯାଇଥିଲା । ଓଡିଶା ପାଇଁ ଏହା ଏକ ଗୌରବମୟ ଦିନ । ଓଡିଶା ସରକାର ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ଅଛନ୍ତି । ହକି ଟିମର ବିଜୟ ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଅପରପକ୍ଷରେ ଆଜି ମହିଳା ହକି ଦଳ ମଧ୍ୟ କାଂସ୍ୟ ପଦକ ପାଇଁ ମ୍ୟାଚ ଖେଳିବ ।
Powered by Froala Editor