ଚର୍ଚ୍ଚାରେ ରାହୁଲଙ୍କ ଜଳଖିଆ ବୈଠକ

ନୂଆଦିଲ୍ଲୀ : ପେଗାସସ ସ୍ପାଇୱେର ପ୍ରସଙ୍ଗ ତଥା କୃଷକ ଆନେ୍ଦାଳନକୁ ନେଇ ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଦେଖାଦେଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ବିରୋଧୀ ଦଳ ନେତାଙ୍କ ସହ ଜଳଖିଆ ବୈଠକରେ ଯୋଗଦେଇ ସରକାରଙ୍କୁ କେମିତି ଘେରିବାକୁ ହେବ ସେ ବିଷୟରେ ଆଲୋଚନା କରିଥିଲେ । ବୈଠକକୁ ସମ୍ବୋଧିତ କରି ରାହୁଲ ଗାନ୍ଧି କହିଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିରୋଧୀ ଶକ୍ତିକୁ ଏକଜୁଟ କରିବାକୁ ହେବ । ଆମ ସ୍ୱର ଯେତେ ଅଧିକ ମିଳିତ ହେବ, ସେତିକି ଶକ୍ତିଶାଳୀ ହେବ, ଏହାକୁ ଦମନ କରିବା ବିଜେପି-ଆରଏସଏସ ପାଇଁ କଷ୍ଟସାଧ୍ୟ ହେବ ବୋଲି ରାହୁଲ କହିଛନ୍ତି । ବୈଠକ ପରେ ବିରୋଧୀ ଦଳ ନେତାମାନେ ରାହୁଲଙ୍କ ନେତୃତ୍ୱରେ ସଂସଦକୁ ସାଇକେଲ ର୍ୟାଲିରେ ଯାଇଥିଲେ । ରାହୁଲଙ୍କ ବୈଠକରେ ତୃଣମୂଳ କଂଗ୍ରେସ, ଶିବସେନା, ଏନସିପି, ଆରଜେଡି ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ଅନୁପସ୍ଥିତ ଥିଲେ । ଆପ ସର୍ବଦା ସଂସଦରେ ବିରୋଧୀ ରଣନୀତି ବୈଠକଠାରୁ ଦୂରରେ ରହିଆସିଛି । ବିଶେଷକରି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକଠାରୁ ଏହା ଦୂରତା ବଜାୟ ରଖୁଛି । ବ୍ରେକଫାଷ୍ଟ ବୈଠକରେ ଯୋଗ ଦେଇ ନ ଥିବା ଆପ ସାଂସଦ ସଞ୍ଜୟ ସିଂ କହିଛନ୍ତି, ଏହି ବୈଠକରେ ଯୋଗଦେବା କିମ୍ବା ନ ଦେବା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯେତେବେଳେ ବି ସଂସଦରେ ଆଲୋଚନା ହେବ, ସେମାନେ କୃଷକମାନଙ୍କୁ ସମର୍ଥନ କରିବେ ଏବଂ ପେଗାସସ୍ ବିରୋଧରେ ସ୍ୱର ଉଠାଇବେ । ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ସୋମବାର ଅପରାହ୍ନରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଡାକିଥିଲେ ଏବଂ ରାଜ୍ୟସଭା ଯେପରି ସୁରୁଖୁରୁରେ ଚାଲିପାରିବ ସେଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।
Powered by Froala Editor