ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
ଯାଜପୁର : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦଶରଥପୁର ବ୍ଲକର ବିଭିନ୍ନ ବନ୍ୟାଞ୍ଚଳକୁ ମୋଟରଚାଳିତ ବୋଟ୍ ଯୋଗେ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ବ୍ଲକର ଶତାଧିକ ଗ୍ରାମ ଜଳମଗ୍ନ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ତରପଦା ଓ ରାମଚନ୍ଦ୍ରପୁର ଗ୍ରାମକୁ ପ୍ରାୟ ୩ କି.ମି. ପର୍ଯ୍ୟନ୍ତ ମୋଟରଚାଳିତ ବୋଟ୍ ଯୋଗେ ଯାତ୍ରା କରି ବନ୍ୟା ବିପନ୍ନଙ୍କୁ ଭେଟି ଆଲୋଚନା କରିଛନ୍ତି। ବନ୍ୟା ଆଶ୍ରୟସ୍ଥଳ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି। ଏଥିସହ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ତ୍ୱରିତ ଓ ପର୍ଯ୍ୟାପ୍ତ ରିଲିଫ ସହାୟତା, ନିରାପଦ ପାନୀୟ ଜଳ ଏବଂ ଆବଶ୍ୟକ ସ୍ବାସ୍ଥ୍ୟସେବା ନିରବଚ୍ଛିନ୍ନ ଭାବେ ଯୋଗାଇଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ନଦୀବନ୍ଧର ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ବନ୍ୟା ବିପନ୍ନ ଓ ଅଧିକାରୀଙ୍କୁ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ତରପଦା ପଞ୍ଚାୟତର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ପୂର୍ବାହ୍ନରେ ବୋଟ୍ ଯୋଗେ ଯାଜପୁର ଜିଲା ଦଶରଥପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଜିଲାର ବିଧାୟକ, ଏମ୍ପି, ମନ୍ତ୍ରୀ ଓ ଭାଜପା ନେତୃବୃନ୍ଦ ସାମିଲ ହୋଇଥିଲେ। କିନ୍ତୁ ଯାଜପୁର ବିଧାୟିକା ସୁଜାତା ସାହୁ ଓ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଏଥିରେ ସାମିଲ କରାଯାଇ ନ ଥିଲା। ଏହାପରେ ବିଧାୟିକା ସୁଜାତା ଓ ପ୍ରମିଳା ତାଙ୍କ ସମର୍ଥକଙ୍କ ସହ ଖୋସାଲପୁର ମୁଖ୍ୟରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ। ବନ୍ୟା ସ୍ଥିତି ଅନୁଧ୍ୟାନ ବେଳେ ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧିଙ୍କୁ କାହିଁକି ସାମିଲ କରାଗଲା ନାହିଁ ବୋଲି ସେମାନେ ଜବାବ ମାଗିଥିଲେ।
Powered by Froala Editor