ବ୍ୟବସାୟୀ ଅପହରଣ ମାମଲାର ପର୍ଦ୍ଦାଫାସ: ଚାରି ଗିରଫ
ବଲାଙ୍ଗିର: ବଲାଙ୍ଗିରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍ ଗୁଣ୍ଡା ଅପହରଣ ମାମଲାର ରହସ୍ୟ ଉନ୍ମୋଚନ କରିଛି ବଲାଙ୍ଗିର ପୁଲିସ। ଏହି ଘଟଣାରେ ପୁଲିସ ଗତକାଲି ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ସାହୁଙ୍କ ଭଉଣୀ ମହିଳା ପୁଲିସ ଏସ୍ଆଇ ସ୍ନେହାମଞ୍ଜରୀ ସାହୁ ଓ ଭୁବନେଶ୍ବରର ସାମ୍ବାଦିକ ସଞ୍ଜୟ ଜେନା। ସ୍ନେହାମଞ୍ଜରୀ ଭୁବନେଶ୍ବର ରିଜର୍ଭ ପୁଲିସରେ କାର୍ଯ୍ୟରତ। ଗତକାଲି ପୁଲିସ ଏହି ଘଟଣାରେ କ୍ଷୀତିଶ ଓ ବଲାଙ୍ଗିର ତୁଳସୀନଗରପଡ଼ାର ସଞ୍ଜିତ ବେହେରାଙ୍କୁ ଗିରଫ କରିଥିଲା। ଆଜି ସମସ୍ତ ୪ ଅଭିଯୁକ୍ତଙ୍କୁ ପୁଇଁନ୍ତଲା କୋର୍ଟଚାଲାଣ କରିଛି। ହନୁମାନ ମୁଦ୍ରା ପାଇଁ ଦେଇଥିବା ୨.୭୦କୋଟି ଟଙ୍କା ଅପହରଣ ପଛର କାରଣ ବୋଲି ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଗତକାଲି ପୁଲିସକୁ ସୂଚନା ଦେଇଥିଲେ। ଆହୁରି ୬ ଦୁର୍ବୃତ୍ତଙ୍କୁ ଧରିବା ଲାଗି ପୁଲିସ ତନାଘନା ଚଳାଇଛି।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଅପହରଣକାରୀମାନେ ନରେନ୍ଦ୍ରଙ୍କୁ ଭୁବନେଶ୍ବର ଖଣ୍ଡଗିରି ଛକସ୍ଥିତ ସନରାଇଜ ଲଜ୍ରେ ମୁଣ୍ଡ ଜାମିନ ରଖିଥିଲେ। ୧୦ କୋଟି ଟଙ୍କା ଦେବାକୁ ଦାବି କରିଥିଲେ। ଏତେ ପରିମାଣର ଟଙ୍କା ଦେବା ପାଇଁ ନରେନ୍ଦ୍ର ଅକ୍ଷମତା ପ୍ରକାଶ କରିବାରୁ ୨ କୋଟିରେ କଥା ଛିଡ଼ିଥିଲା। ଏବେ ଆକାଉଣ୍ଟରେ ୫୦ଲକ୍ଷ ଟଙ୍କା ଅଛି ଏବଂ ସୋମବାର ବ୍ୟାଙ୍କରୁ ୫୦ଲକ୍ଷ ଟଙ୍କା ଉଠାଇ ଦେଇପାରିବେ ବୋଲି ନରେନ୍ଦ୍ର ସେମାନଙ୍କୁ କହିଥିଲେ। ଏହି ଘଟଣାରେ ପରେ ଯେମିତି ଦୁର୍ବୃତ୍ତମାନେ ନ ଫସନ୍ତି, ସେଥିପାଇଁ ନରେନ୍ଦ୍ରଙ୍କୁ ହିଁ ସେମାନେ ଅଭିଯୁକ୍ତ ସଜାଇ ଦେଇଥିଲେ। ତାଙ୍କ ହାତରେ ଗୁଳି ନଥିବା ଏକ ବନ୍ଧୁକ ଧରାଇ ଫଟୋ, ଭିଡିଓ ଉଠାଇଥିଲେ। ଗତ ୧୫ ତାରିଖ ଅପରାହ୍ଣରେ ଅଭିଯୁକ୍ତମାନେ ନରେନ୍ଦ୍ରଙ୍କୁ ଖଣ୍ଡଗିରି ଥାନାକୁ ନେଇଥିଲେ। କ୍ଷୀତିଶଙ୍କଠାରୁ ନରେନ୍ଦ୍ର ପୂର୍ବରୁ ୫୦ ଲକ୍ଷ ଟଙ୍କା ଧାର ନେଇଥିଲେ ଓ ଉକ୍ତ ଟଙ୍କା ସେ ଫେରାଉନାହାନ୍ତି ବୋଲି କ୍ଷୀତିଶ ଥାନାରେ ଅଭିଯୋଗ କରିଥିଲେ। ସୋମବାର ସେ ୫୦ଲକ୍ଷ ଟଙ୍କା ଫେରାଇବାକୁ ରାଜି ହୋଇଛନ୍ତି। ଥାନାରେ ଉପସ୍ଥିତ ସାମ୍ବାଦିକ ସଞ୍ଜୟ କୁମାର ଜେନା ନିଜକୁ ପୁଲିସ ଏସ୍ଆଇ ପରିଚୟ ଦେଇ ନରେନ୍ଦ୍ରଙ୍କୁ ଜେରା କରିଥିଲେ। ଏପରିକି, ସୋମବାର କ୍ଷୀତିଶଙ୍କୁ ୫୦ଲକ୍ଷ ଟଙ୍କା ଫେରାଇବେ ବୋଲି ସେ ନରେନ୍ଦ୍ରଙ୍କଠାରୁ ଲେଖାଇ ନେଇଥିଲେ।
Powered by Froala Editor