ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ପରେ ଟଳି ପଡ଼ିଲେ ସ୍ୱାମୀ
ସୁଖ-ଦୁଃଖ, ହସ-ଲୁହ ସବୁକିଛିକୁ ଏକାଠି ବାଣ୍ଟି ନେଉଥିଲେ। ବୋଧହୁଏ ସେଥିପାଇଁ ମୃତ୍ୟୁ ମଧ୍ୟ ସେମାନଙ୍କୁ ଅଲଗା କରିପାରିଲା ନାହିଁ। ଶେଷ ଥର ପାଇଁ କୋକେଇରେ ସ୍ତ୍ରୀକୁ ସିନ୍ଦୂର ପିନ୍ଧାଇବା ବେଳେ ଠକ୍କିନା ଚାଲିଗଲା ସ୍ୱାମୀର ଜୀବନ। ଉତ୍ତର ପ୍ରଦେଶର ଔରୈୟା ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଔରୈୟା ଜିଲ୍ଲାର ଦିବିୟାପୁର ଥାନା ମଧବାପୁର ଗାଁର ୩୫ ବର୍ଷୀୟା ପିଙ୍କି ଦାସ ଦୀର୍ଘ ଦିନ ଧରି ଟିବି ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ମେଡିସିନ୍ ଖାଉଥିଲେ ମଧ୍ୟ ରୋଗ ଭଲ ହେଉନଥିଲା। ତେବେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ତାଙ୍କୁ ତାଙ୍କ ସ୍ୱାମୀ ଶ୍ୟାମଲ ଦାସ କାନପୁରରେ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ସୋମବାର ସନ୍ଧ୍ୟାରେ ଆଖି ବୁଜିଥିଲେ ପିଙ୍କି।
ପତ୍ନୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ଶ୍ୟାମଲ ଦାସ। ଛୋଟ ଛୋଟ ଦୁଇ ପୁଅଙ୍କ ଭାଗ୍ୟ କେମିତି ଗଢ଼ିବେ? ପତ୍ନୀଙ୍କ ବିନା କେମିତି ଜୀବନ ଜିଇଁବେ? ଏପରି ନାନା ପ୍ରଶ୍ନ ତାଙ୍କୁ ଭାରାକ୍ରାନ୍ତ କରିଦେଇଥିଲା। ଯେଉଁଥିପାଇଁ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ପରେ ନିଜକୁ ସମ୍ଭାଳି ଜୀବନସାଥୀଙ୍କ ମୃତଦେହକୁ ଧରି ଗାଁକୁ ଫେରିଲେ। ଖବର ପାଇ ଘରେ ପହଞ୍ଚିଥିଲେ ବନ୍ଧୁ ବାନ୍ଧବ ଓ ଆତ୍ମିୟ ସ୍ୱଜନ।
ଅନ୍ତିମ ସଂସ୍କାର ପୂର୍ବରୁ କୋକେଇରେ ପତ୍ନୀଙ୍କ ମଥାରେ ଶେଷ ଥର ପାଇଁ ସିନ୍ଦୂର ପିନ୍ଧାଉଥିବା ବେଳେ ସ୍ୱାମୀଙ୍କ ଦେହ ହଠାତ୍ ଖରାପ ହୋଇଯାଇଥିଲା। ସେହି ସମୟରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା ଏବଂ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଦମ୍ପତିଙ୍କ ମୃତ୍ୟୁ ପରେ ସେମାନଙ୍କର ଦୁଇ ପୁଅ ଦୁଃଖରେ ଭାଙ୍ଗି ପଡିଛନ୍ତି।
Powered by Froala Editor