ଛାତ୍ରଙ୍କୁ ଅସ୍ତ୍ର କରୁଛନ୍ତି ରାହୁଲ'; ଧର୍ମେନ୍ଦ୍ର
ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କଂଗ୍ରେସର ଆନ୍ଦୋଳନକୁ ନେଇ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଉପରେ କଡା ଭାଷାରେ ବର୍ଷିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଂସଦର ମୌସୁମୀ ଅଧିବେଶନ ସମୟରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ରାଜନୈତିକ ଅସ୍ତ୍ର୍ର ଭାବରେ ବ୍ୟବହାର କରିବା ଅତ୍ୟନ୍ତ ଲଜ୍ଜାଜନକ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ ପୋଷ୍ଟରେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀ ଲୋକ କଲ୍ୟାଣ ମାର୍ଗ ବାସଭବନ ସମ୍ମୁଖରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଛାତ୍ରଙ୍କ ପକ୍ଷରୁ ସଂସଦ ମାର୍ଚ୍ଚ ବେଳେ ପୁଲିସ ଛାତ୍ରଛାତ୍ରୀଙ୍କ ଉପରେ କରିଥିବା ଲାଠିମାଡ଼ ପ୍ରତିବାଦରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଧାରଣା ଦେଇଥିଲା । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସରକାର ବ୍ୟାପକ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିବା ପରେ ମଧ୍ୟ କଂଗ୍ରେସ ଗଣତାନ୍ତ୍ରିକ ବିତର୍କ ବଦଳରେ ରାଜନୈତିକ ନାଟକବାଜିକୁ ବାଛିଛି। କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଧାରଣା ଦେଇ ଜନସାଧାରଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ସହ ସୁରକ୍ଷା ନିୟମକୁ ଅବମାନନା କରିଛି।
ସେମାନଙ୍କର ଉଦ୍ଦେଶ୍ୟ କେବେ ବି ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ନଥିଲା, ବରଂ ରାଜନୈତିକ ହେଡଲାଇନ୍ସ ହାସଲ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରିବା ଲକ୍ଷ୍ୟ ଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଆମ ସରକାର 'NEET' ସମ୍ପର୍କରେ ଆଲୋଚନା କରିବା ଏବଂ ଗୃହ ମଧ୍ୟରେ ଆମ ଯୁବପିଢ଼ିଙ୍କ ପ୍ରତ୍ୟେକ ପ୍ରକୃତ ସମସ୍ୟାର ସମାଧାନ କରିବା ପାଇଁ ୧୦୦% ପ୍ରତିବଦ୍ଧ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଦେଶର ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ବଦଳରେ ସ୍ଥିରତା, ନାରାବାଜି ବଦଳରେ ସମାଧାନ ଏବଂ ବିଶୃଙ୍ଖଳା ବଦଳରେ ଦାୟିତ୍ୱବାନ ଆଚରଣ ପାଇବାର ହକ୍ଦାର । ସରକାର ସବୁପ୍ରକାର ଚର୍ଚ୍ଚା ପାଇଁ ଦ୍ୱାର ଖୋଲା ରଖିଥିଲେ ସୁଦ୍ଧା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ କେବଳ ବିବାଦ ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି ।
Powered by Froala Editor