ଜମ୍ମୁ-କଶ୍ମୀର ବନ୍ୟା ଓ ଭୂସ୍କଳନ ଯୋଗୁଁ ଆଉ ୧୨ ଜଣଙ୍କ ମୃତ୍ୟୁ
ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍କଳନ ଯୋଗୁଁ ଆଉ ୧୨ ଜଣଙ୍କର ମୃତ୍ୟୁ ଘଟିବା ସହ ଗତ ଦୁଇ ଦିନ ମଧ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି ଏବଂ ୮ ଜଣ ନିଖୋଜ ରହିଛନ୍ତି। ଭୂସ୍କଳନ, ଆକସ୍ମିକ ବନ୍ୟା ଏବଂ ନଦୀନାଳର ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ସାଧାରଣ ନାଗରିକ ଓ ପର୍ଯ୍ୟଟକମାନଙ୍କୁ ସମ୍ବେଦନଶୀଳ ପାହାଡ଼ିଆ ଅଞ୍ଚଳ ଓ ଜଳାଶୟ ନିକଟକୁ ନଯିବା ପାଇଁ ସତର୍କ କରାଯାଇଛି। ଏନଡିଆରଏଫ୍, ଏସଡିଆରଏଫ୍ ଓ ସ୍ଥାନୀୟ ପୁଲିସ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଜମ୍ମୁର ସୀମାନ୍ତ ଜିଲ୍ଲା ପୁଞ୍ଛର ଲୋରାନ-ଡୁମିଲାନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା କାଦୁଅ ଓ ଭୂସ୍କଳନ ଗୋଟିଏ ମାଟି ଘର ଉପରେ ମାଡ଼ି ଯିବାରୁ ଘର ଭିତରେ ଥିବା ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ଜଣେ ୨ ବର୍ଷର ଶିଶୁକନ୍ୟା, ୨ ଜଣ ପୁରୁଷ ଓ ଜଣେ ୪ ବର୍ଷର ଶିଶୁପୁତ୍ର ରହିଛନ୍ତି। ସେହିପରି ଜମ୍ମୁ-କିଶ୍ୱାଡ଼ ଜାତୀୟ ରାଜପଥର ରାଗି ନାଲା ନିକଟରେ ପାହାଡ଼ରୁ ପଥର ଖସି ଗୋଟିଏ ଯାତ୍ରୀବାହୀ ବସ୍ ଉପରେ ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପାଣିପାଗ ବିଭାଗ ଆଗାମୀ ଦିନଗୁଡ଼ିକରେ ଆହୁରି ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି।
Powered by Froala Editor