ସୋନମ ୱାଙ୍ଗଚୁକଙ୍କ ବାର୍ତ୍ତା: ସ୍ବାଧୀନତା ପାଇଁ ଏହା ଦ୍ୱିତୀୟ ଆନ୍ଦୋଳନ
ଦିଲ୍ଲୀର ଯନ୍ତର ମନ୍ତର ପ୍ରତିବାଦ ସ୍ଥଳରୁ ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ନିଜ ସମର୍ଥକମାନଙ୍କ ଉଦ୍ଦେଶ୍ୟରେ ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ସୋମବାର ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଆୟୋଜିତ ହେବାକୁ ଥିବା ପ୍ରସ୍ତାବିତ ସଂସଦ ପଦଯାତ୍ରାକୁ ବ୍ୟାପକ ଭାବେ ସଫଳ କରିବା ପାଇଁ ସେ ଏହି ବାର୍ତ୍ତାରେ ଆହ୍ୱାନ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ସୋନମ ୱାଙ୍ଗଚୁକଙ୍କ ଅନଶନକୁ ସମର୍ଥନ କରି ସୋମବାର (୨୦ ଜୁଲାଇ) ସଂସଦ ଅଭିମୁଖେ ଏକ ପଦଯାତ୍ରା ଘୋଷଣା କରାଯାଇଥିଲା। ଏହା ମଧ୍ୟରେ, ସୋନମ ୱାଙ୍ଗଚୁକ ଦେଶକୁ ସମ୍ବୋଧିତ ଏକ ବାର୍ତ୍ତା ଶେୟାର କରିଛନ୍ତି। ସୋନମ ତାଙ୍କ ପତ୍ନୀଙ୍କ ମାଧ୍ୟମରେ ଏହି ବାର୍ତ୍ତା ଦେଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଲେଖିଛନ୍ତି, ‘୨୦ ଜୁଲାଇ… ସ୍ବାଧୀନତା ପାଇଁ ଦ୍ୱିତୀୟ ଆନ୍ଦୋଳନ… ଏକ ଭୟମୁକ୍ତ ଭାରତ, ଏକ ଅନ୍ୟାୟମୁକ୍ତ ଭାରତ।’ ସେ ଆହୁରି ଲେଖିଛନ୍ତି, ‘ଅନ୍ୟାୟରୁ ସ୍ବାଧୀନତା (ଯେପରିକି କାଗଜ ଲିକ), ଭୟରୁ ମୁକ୍ତି (ଯେପରିକି ମୋର ଅବୈଧ ଅଟକ) ଭାରତର ଦ୍ୱିତୀୟ ସ୍ବାଧୀନତା ଆନ୍ଦୋଳନ, ସଂସଦ ଅଭିମୁଖେ ପଦଯାତ୍ରା; ଦୟାକରି ଏହାକୁ ସଫଳ କରନ୍ତୁ।’
ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କ ଜରିଆରେ ଏକ କାଗଜରେ ଲିଖିତ ବାର୍ତ୍ତାକୁ ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସାର୍ବଜନୀନ କରିଛନ୍ତି। ନିଟ୍ ପ୍ରବେଶିକା ପରୀକ୍ଷାରେ ହୋଇଥିବା ଅନିୟମିତତା ପ୍ରତିବାଦରେ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ୱାଙ୍ଗଚୁକ ଗତ ଜୁନ୍ ୨୮ ତାରିଖରୁ ଅନଶନ ଜାରି ରଖିଥିଲେ। ଶନିବାର ତାଙ୍କ ଅନଶନର ୨୧ତମ ଦିବସରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଦିଲ୍ଲୀ ପୁଲିସ ତାଙ୍କୁ ଆବଶ୍ୟକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା।
Powered by Froala Editor