ଆହୁରି ଦୁଇଦିନ ଆକାଶରୁ ନିଆଁ ବର୍ଷା
ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଲାଗି ରହିଥିବା ବେଳେ ଉପକୂଳରେ ଗରମ ସାଙ୍ଗକୁ ଗୁଳୁଗୁଳି ଶରୀରକୁ ଅସୁସ୍ଥ କରି ଦେଉଛି। ଗ୍ରୀଷ୍ମ ପ୍ରବାହ କାରଣରୁ ୨୨ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ତନ୍ମଧ୍ୟରୁ ବଲାଙ୍ଗିର, ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁର ଜିଲାକୁ ଜଣେ ଲେଖାଏଁ ଲୋକଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୫ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ମାମଲାର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଅଂଶୁଘାତ ଜନିତ ମୃତ୍ୟୁ କି ନାହିଁ ସ୍ପଷ୍ଟ ଜଣାପଡ଼ିବ। ସ୍ଥିତି ଏବେ ସ୍ବାଭାବିକ ରହିଛି ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଏସଆରସିଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ଯେ, ମେ’ ୧ରୁ ୨୬ ମଧ୍ୟରେ ରାଜ୍ୟରେ ହାରାହାରି ୭୫ମି.ମି. ବର୍ଷା ହେବାକୁ ଥିବାବେଳେ ୬୯.୬ମି.ମି. ବର୍ଷା ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲାର ବାଂଶପାଲ ବ୍ଲକରେ ୨୬.୨ମି.ମି. ବର୍ଷା ହୋଇଥିବା ବେଳେ ୮ଟି ବ୍ଲକରେ ୧୦ମି.ମି.ରୁ ଅଧିକ ବର୍ଷା ହୋଇଛି। କାଳବୈଶାଖୀ ପ୍ରଭାବରେ କୋରାପୁଟ ଜିଲାର ଲକ୍ଷ୍ମୀପୁର ବ୍ଲକର ୩ ପଞ୍ଚାୟତର ୫ଟି ଗାଁ ପ୍ରଭାବିତ ହୋଇଛି। ଗତ ୨୪ ତାରିଖରେ ମୟୂରଭଞ୍ଜ ଜିଲାରେ ଘୂର୍ଣ୍ଣିବଳୟ ପ୍ରଭାବରେ ଜିଲାର ବାଙ୍ଗିରିପୋଷି, ସାରସକଣା, ରରୁଆଁ ଏବଂ ସୁକ୍ରୁଳି ବ୍ଲକର ୧୨ଟି ପଞ୍ଚାୟତର ୧୯ଟି ଗାଁ ପ୍ରଭାବିତ ହୋଇଛି। ୭୫ଲୋକ ପ୍ରଭାବିତ ହୋଇଥିବା ବେଳେ ୬୧ଟି ଘର କ୍ଷୟକ୍ଷତି ହୋଇଛି।
ଆହୁରି ଦୁଇଦିନ ଆକାଶରୁ ନିଆଁ ବର୍ଷା ହେବ। ଓଡ଼ିଶାର ସବୁଠି ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେବ। ବିଶେଷ କରି ବୌଦ୍ଧ, ଝାରସୁଗୁଡ଼ା ଏବଂ ବଲାଙ୍ଗିରକୁ ଗ୍ରୀଷ୍ମ ଲହରୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଉତ୍ତପ୍ତ ସହରରେ ପରିଣତ ହେବ ଏହି ତିନି ସହର। ୨୯ ତାରିଖ ବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ବର୍ଷାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭୁବନେଶ୍ବରରେ ପାରଦ ୩୯.୪ଡିଗ୍ରୀ ଥିବାବେଳେ କଟକରେ ୩୮.୪ଡିଗ୍ରୀ ରହିଛି। ପାଣିପାଗ ବିଭାଗର ସୂଚନାନୁଯାୟୀ; ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବୌଦ୍ଧ, ବଲାଙ୍ଗିର ଏବଂ ଝାରସୁଗୁଡ଼ା ଜିଲାକୁ ଗ୍ରୀଷ୍ମ ଲହରୀ ନେଇ ସତର୍କ ସୂଚନା ଜାରି କରାଯାଇଛି। ଉଷ୍ଣ ଆର୍ଦ୍ରତା ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା, ନୟାଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ବରଗଡ଼ ଜିଲାକୁ ସତର୍କ ସୂଚନା ଦିଆଯାଇଛି। ସେହିପରି ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
Powered by Froala Editor