ଆର୍ଟିଇ ନାମଲେଖା ଆଜିଠୁ, ୨୭୩୭୦ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ
ଭୁବନେଶ୍ବର: ଶିକ୍ଷା ଅଧିକାର ଆଇନ ୨୦୦୯ ଅନ୍ତର୍ଗତ ଧାରା ୧୨(୧)(ଗ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାଙ୍କୁ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରବେଶସ୍ତରରେ ନିଃଶୁଳ୍କ ଶିକ୍ଷା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଉଛି। ଚଳିତ ଶିକ୍ଷାବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ନିମନ୍ତେ ଫେବୃଆରୀ ୧୦ରୁ ଆରମ୍ଭ କରି ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ। ୪୪୩୮ ବେସରକାରୀ ବିଦ୍ୟାଳୟରେ ୫୪୩୫୫ ସିଟ୍ ପାଇଁ ସମୁଦାୟ ୪୪୭୭୭ ଅନଲାଇନ ଆବେଦନ ଗ୍ରହଣ କରାଯାଇଥିଲା। ଏହା ମଧ୍ୟରୁ ବ୍ଲକ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣପତ୍ର ଯାଞ୍ଚ କରି ୩୫୮୦୦ ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଥିଲେ।
୨୭୩୭୦ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଲଟେରି ମାଧ୍ୟମରେ ମନୋନୀତ କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ମନୋନୀତ ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ। ବେସରକାରୀ ବିଦ୍ୟାଳୟଗୁଡ଼ିକରେ ମାର୍ଚ୍ଚ ୧୭ରୁ ମାର୍ଚ୍ଚ ୩୧ ମଧ୍ୟରେ ନାମ ଲେଖାଯିବ। ଏହି ନାମଲେଖା ସମ୍ପୂର୍ଣ୍ଣ ନିଃଶୁଳ୍କ। ବେସରକାରୀ ବିଦ୍ୟାଳୟଗୁଡ଼ିକ କୌଣସି ଅର୍ଥ ଅଭିଭାବକଙ୍କଠାରୁ ନେଇପାରିବେ ନାହିଁ। ଯଦି ଏହାକୁ କୌଣସି ବିଦ୍ୟାଳୟ ଖିଲାପ କରନ୍ତି, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଏକ ସହାୟତା ନମ୍ବର- ୧୮୦୦୩୪୫୬୭୨୨ ଜାରି କରାଯାଇଛି।
Powered by Froala Editor