ପ୍ରେମ ବିବାହ ଯୋଗୁଁ ଗାଁରେ ପଡ଼ିଲା ବଳି

ଶାଳଚୁଆ : ଗାଁ ଦାଣ୍ଡରେ ବସିଛନ୍ତି ଲୋକ । ସାମ୍ନାରେ ରହିଛି କୁକୁଡା ଏବଂ ଛେଳି । ଚାଲିଛି ପୂଜାର୍ଚ୍ଚନା । ପୂଜାର୍ଚ୍ଚନା ପଛର କାହାଣୀ ବି ବେଶ ରୋଚକ । ଭିନ୍ନ ଜାତିରେ ବିବାହ କରିଥିବା ଝିଅ ପାଇଁ ଗ୍ରାମ ଅପବିତ୍ର ହୋଇଥିବାରୁ ଗ୍ରାମକୁ ପବିତ୍ର କରାଯାଉଛି । ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ ଏବେ ବି ବାଟ ହୁଡ଼ୁଛି । ପରମ୍ପରା ନାମରେ ଚାଲିଛି ଏମିତି କାଣ୍ଡ କାରନାମା । ଏ ଅଜବ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନ ପାହାଡ଼ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଶରତ ଅଂଚଳର । ଶରତ ଥାନା ଅଧୀନ ସିଲେଇପୋଖରୀ ଗ୍ରାମର ଜଣେ ସାନ୍ତାଳୀ ସଂପ୍ରଦାୟର ଜଣେ ଝିଅ ମୁଣ୍ଡାରୀ ସଂପ୍ରଦାୟର ପୁଅକୁ ପ୍ରେମ ବିବାହ କରିଥିଲେ । ଯାହାକୁ ବିରୋଧ କରି ଗ୍ରାମରେ ହୋଇଥିଲା ବୈଠକ । ଝିଅଟି ଅନ୍ୟ ଜାତିରେ ବିବାହ କରିଥିବାରୁ ଗ୍ରାମ ଅପବିତ୍ର ହୋଇଯାଇଥିଲା ବୋଲି ସମସ୍ତେ କହିଥିଲେ । ତେଣୁ ସଂପ୍ରଦାୟର ପରମ୍ପରା ଅନୁସାରେ ଝିଅର ବାପାକୁ ଗ୍ରାମ ପବିତ୍ର କରିବା ନିମନ୍ତେ ପୂଜାର୍ଚ୍ଚନା କରିବାକୁ କୁହାଯାଇଥିଲା । ଝିଅର ବାପା ଗୋଟିଏ ବୋଦା, ତିନିଟି କୁକୁଡା, ଚାଉଳ ଆଦି ସାମଗ୍ରୀ ଗ୍ରାମର ମୁଖିଆଙ୍କୁ ପ୍ରଦାନ କରିଥିଲେ । ପରେ ପୂଜାର୍ଚ୍ଚନା ହେବା ସହିତ ବୋଦା ଏବଂ କୁକୁଡାକୁ ବଳି ଦିଆଯାଇ ତାହାର କିଛି ବୁନ୍ଦା ରକ୍ତକୁ ପାଣିରେ ମିଶାଇ ପୁରା ଗ୍ରାମରେ ସିଂଚନ କରାଯାଇଥିଲା । ଲୋକଙ୍କ କହିବା କଥା ଏହା ଦ୍ୱାରା ଗ୍ରାମଟି ପବିତ୍ର ହେବା ସହିତ ଝିଅଟି ସାନ୍ତାଳୀ ସଂପ୍ରଦାୟରୁ ଆସି ମୁଣ୍ଡାରୀ ସଂପ୍ରଦାୟର ବୋହୂ ହେବାକୁ ଅନୁମତି ପାଇଲା । ତେବେ ଏମିତି ପ୍ରଥା, ପରମ୍ପରା ଆଳରେ ମଣିଷ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେଉଥିବା ଚର୍ଚ୍ଚା ହେଉଛି ।
Powered by Froala Editor