'ବାଡ଼ ଏମିତି କ୍ଷେତ ଖାଇଲେ ରାଜ୍ୟରୁ ସବୁ ଆଇନକାନୁନ ଶେଷ ହୋଇଯିବ'

ଭୁବନେଶ୍ୱର: ଦିନକୁ ଦିନ ଅଧିକ ସସପେନ୍ସ ଘେରକୁ ଚାଲି ଯାଉଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଗତକାଲି ଗୋଟିଏ ଦିନରେ ପାରଳାଖେମୁଣ୍ଡି ପୁଲିସ୍ ଓ କ୍ରାଇମବ୍ରାଞ୍ଚ ଟିମ୍ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ରୋଷେୟା ମନ୍ନଥ କୁମ୍ଭଙ୍କୁ ଜେରା କରି କ୍ଲିନଚିଟ୍ ଦେଇସାରିଛନ୍ତି। ହେଲେ ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ । ବାଡ଼ କ୍ଷେତ ଖାଉଛି । ବାଡ଼ ଏମିତି କ୍ଷେତ ଖାଇଲେ ରାଜ୍ୟରୁ ସବୁ ଆଇନକାନୁନ ଶେଷ ହୋଇଯିବ ବୋଲି ସେ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ, କମଚାରୀଙ୍କୁ ପଚାରି, କଲ ଯାଞ୍ଚ କରି ଡିଏଫଓଙ୍କୁ କ୍ଲିନ ଚିଟ ଦେେଇଦେଲେ । ଡିଏଫଓ ସେଠି ଥିବା ଯାଏ କୌଣସି କର୍ମଚାରୀ ତାଙ୍କ ବିଷୟରେ କହିବେନି । ଡିଏଫଓ- ବିଦ୍ୟାଭାରତୀ ଗୁପ୍ତ ନମ୍ବରରେ କଥା ହେଉଥିବେ । ଯାଞ୍ଚ ହୋଇଛି କି? ବଡ଼ ଅଧିକାରୀଙ୍କୁ ରକ୍ଷା ପାଇଁ ଯେତେ ସବୁ ପ୍ରମାଣ ଅଛି ପୁଲିସ ତାକୁ ନଷ୍ଟ କରୁଛି ବୋଲି ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ପୁଲିସ୍ର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ବଡ଼ ଭାଇ ରଂଜନ ମହାପାତ୍ର କହିଛନ୍ତି, ପୁଲିସ୍ ସମସ୍ତଙ୍କୁ କ୍ଲିନ ଚିଟ୍ ଦେଉଥିଲେ ବି ସତ କଥା ମୋ ଭାଇ ପୋଡ଼ି କି ମରିଛି। ହେଲେ କେଉଁ ଲିଙ୍କରେ ସେ ମରିଛି ତାକୁ ଖୋଜି ବାହାର କରିବା ପୁଲିସ୍ର କାମ। ଆତ୍ମହତ୍ୟା ଯଦି କରିଛି, ସେଥିପାଇଁ କାରଣ ବି ଦରକାର।
ଘରେ ସ୍ୱାମୀ ସ୍ତ୍ରୀ ଥିଲେ ସ୍ୱାମୀ ପୋଡ଼ିଗଲା, ସ୍ତ୍ରୀ ଜାଣିପାରିଲାନି କିପରି । ଘଟଣା ଘଟିବା ପରେ ଘରର ଚାବି ବିଭାଗ ପାଖରେ କାହିଁକି ରହିଥିଲା। ସୌମ୍ୟଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ ନିଆଯାଇଥିଲା । ବ୍ରହ୍ମପୁର ରେଫର ଲେଖାହୋଇ ପୁଣି କଟାଯାଇ କଟକ ପଠାଯିବା କାରଣ କ’ଣ । ବଲାଙ୍ଗିରରେ ବ୍ୟାଚଲର ପାର୍ଟି କଥା କହୁଥିଲୁ, ତାହା ବି ସତ ପ୍ରମାଣିତ ହେଲା ବୋଲି କହିଛନ୍ତି ରଞ୍ଜନ।
Powered by Froala Editor