୮ ଜଣଙ୍କୁ ଓଡ଼ିଶା ଲଳିତକଳା ଏକାଡେମୀ ପୁରସ୍କାର

ଭୁବନେଶ୍ବର: ୩୯ତମ ରାଜ୍ୟ ଲଳିତ କଳା ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ପାଇଁ ଚିତ୍ରକଳା, ଭାସ୍କର୍ୟ୍ୟ କଳା, ମୁଦ୍ରଣ କଳା, ପାରମ୍ପରିକ କଳାକୃତିଗୁଡିକ ମଧ୍ୟରୁ ଏକାଡେମୀ ଚୟନ କମିଟି ୮ଜଣଙ୍କର କୃତିକୁ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ କରିଥିଲେ ।
ଏହି ଶିଳ୍ପୀମାନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ରାଶି ସ୍ୱରୂପ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ଚେକ୍, ମାନପତ୍ର ଓ ଉପଢ଼ୈାକନ ପ୍ରଦାନ କରାଯାଇଛି । ଏହି ଅବସରରେ ୨୦୨୦ ମସିହା ପାଇଁ ରାଜ୍ୟସ୍ତରୀୟ ଅନ୍ଲାଇନ୍ ଫଟୋଗ୍ରାଫି ପ୍ରଦର୍ଶନୀର ଶ୍ରେଷ୍ଠ ୪ ଜଣ ଶିଳ୍ପୀଙ୍କୁ ରାଜ୍ୟ ‘ଫଟୋଗ୍ରାଫି’ ପୁରସ୍କାର ପ୍ରଦାନ କରାଯାଇଛି ।
ପୁରସ୍କାର ପ୍ରଦାନ ଅବସରରେ ମୁଖ୍ୟ ଅତିଥି ରୂପେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିଲେ । ୩୯ତମ ରାଜ୍ୟ ଲଳିତ କଳା ଏକାଡେମୀ ପୁରସ୍କାର ପାଇଥିବା ସୃଜନଶୀଳ ଚିତ୍ରରେ ଅନୁପ କୁମାର ଚାନ୍ଦ, ସୂର୍ୟ୍ୟକାନ୍ତ ସ୍ୱାଇଁ ଓ ଜ୍ୟୋତି ପ୍ରକାଶ ସେଠୀ, ଭାସ୍କର୍ୟ୍ୟରେ ବିଶ୍ୱରଞ୍ଜନ କର ଓ ସୁଧିରଞ୍ଜନ ମହାରଥା, ମୁଦ୍ରଣ କଳାରେ ସୁଜିତ କୁମାର ସ୍ୱାଇଁ ଓ ବିକାଶ ଚନ୍ଦ୍ର ସେନାପତି ଏବଂ ପାରମ୍ପରିକ କଳାରେ ପ୍ରମୋଦ କୁମାର ମହାରଣା ପ୍ରମୁଖ ଶିଳ୍ପୀଙ୍କୁ ଉପଢ଼ୈାକନ, ମାନପତ୍ର ସହ ୨ଲକ୍ଷ ଟଙ୍କାର ଅର୍ଥରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଛି ।ସେହିପରି ରାଜ୍ୟସ୍ତରୀୟ ଅନ୍ଲାଇନ୍ ଫଟୋଗ୍ରାଫି ପ୍ରତିଯୋଗିତାରେ ସଞ୍ଜିତ ପଟ୍ଟନାୟକ, ନିରଞ୍ଜନ ପଣ୍ଡା, ଉଦୟନ ସାରଥୀ ବେହେରା ଓ ମନୀଷ ରଞ୍ଜନ ସାହୁଙ୍କୁ ଫଟୋଗ୍ରାଫିରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ ପାଇଁ ଉପଢ଼ୈାକନ, ମାନପତ୍ର ସହ ୫୦ହଜାର ଟଙ୍କାର ଅର୍ଥରାଶି ଚେକ୍ ଆକାରରେ ପ୍ରଦାନ କରାଯିବା ସହ ତପନ କୁମାର ମିଶ୍ର, ସମୀମ୍ କ୍ୱାରେସୀ, ଶ୍ରୀକ୍ରୀଷ୍ଣା ଦାସ, ଶିଶିର କର, ସୁନନ୍ଦା ସାହୁ, ଜିତେନ୍ଦ୍ର କୁମାର ପତି, ଜ୍ଞାନରଂଜନ ମହାନ୍ତି, ସ୍ୱରୁପ ଫୁଲନଟନ ପ୍ରମୁଖ ୮ଜଣଙ୍କୁ ଫଟୋଗ୍ରାଫିରେ ବିଶେଷ ପାରଦର୍ଶିତା ପାଇଁ ସମ୍ମାନଜନକ ପୁରସ୍କାର ସ୍ୱରୂପ ପ୍ରତ୍ୟେକ ଶିଳ୍ପୀଙ୍କୁ ଉପଢ଼ୈାକନ, ମାନପତ୍ର ସହ ୧୦ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।ଏହି ଅବସରରେ ବିଭାଗର ଶାସନ ସଚିବ ଡ଼ ସୁରେଶ ଚନ୍ଦ୍ର ଦଳାଇ ଓ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଏକାଡେମୀର ଓ.ଏସ.ଡି ମନସ୍ୱିନୀ ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ।
Powered by Froala Editor