ଅଗ୍ନିକାଣ୍ଡରେ ୬ ବଖରା ଭସ୍ମିଭୂତ

ଆଠଗଡ: ଆଠଗଡ ବ୍ଲକର ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର (ଖୁଣ୍ଟାଡାବ) ଗ୍ରାମରେ ଗୁରୁବାର ବିଳମ୍ବିତ ରାତ୍ରିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୬ଜଣଙ୍କର ୬ ବଖରା ଜଳିପୋଡି ପାଉଁଶ ହୋଇଯାଇଛି। ରାତିପ୍ରାୟ ୧ଟା ସମୟରେ ବିଦ୍ୟୁତ୍ ସଟ୍ସର୍କିଟ ଯୋଗୁଁ ଘଟିଥିବା ଏହି ଅଗ୍ନିକାଣ୍ଡରେ ଗୋବିନ୍ଦପୁର ଗ୍ରାମର ସନାତନ ବେଉରା, ଅଜୟ କୁମାର ବେଉରା, ବିଜୟ କୁମାର ବେଉରା, ଅଞ୍ଚଳି ବେଉରା, ଦିନେଶ ବେଉରା ଓ ଅନସୂୟା ବେଉରାଙ୍କର ୬ବଖରା ଘର ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। ରାତିରେ ଶୋଇଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିବା ଯୋଗୁଁ ନିଜ ପିନ୍ଧା ଲୁଗାଛଡା ସେମାନେ କୌଣସି ଆସବାବପତ୍ର ରକ୍ଷା କରିପାରିନଥିଲେ।
ଏ ସଂପର୍କରେ ଖବର ପାଇ ସରପଞ୍ଚ ପୁଷ୍ପଲତା ସାହୁ ଓ ରାଜସ୍ୱ ନିରୀକ୍ଷକ ମୃତ୍ୟୁଞ୍ଜୟ ରାଉଳ ଅଗ୍ନିବିପନ୍ନଙ୍କ ପାଖରେ ପହଞ୍ଚି ଜରିପାଲ ସହିତ ଶୁଖିଲା ଖାଦ୍ୟ ଓ କିଛି ପିନ୍ଧିବା ପାଇଁ ଲୁଗାପଟା ପ୍ରଦାନ କରିଥିଲେ। ଅଗ୍ନି ବିପନ୍ନ ପରିବାର ଗୁଡିକ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ସହିତ ପ୍ରଧାନମନ୍ତ୍ରୀ ଆବାସ ଅବା ବିଜୁ ପକ୍କାଘର ଯୋଗାଇ ଦେବା ପାଇଁ ଦାବି ହୋଇଛି।
Powered by Froala Editor