ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ଲୋଡ଼ିଲେ ଟ୍ରମ୍ପ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲାଣ୍ଡ ଦଖଲ ଯୋଜନାରେ ନିଶ୍ଚଳ ରହିଛନ୍ତି। ଗ୍ରୀନଲାଣ୍ଡ ହାସଲ କରିବାରେ ନାଟୋ ଆମେରିକାକୁ ସହାୟତା କରୁ ବୋଲି ଟ୍ରମ୍ପ କହିଛନ୍ତି। ଆଉ ଆମେରିକାର ଗ୍ରୀନଲାଣ୍ଡ ହାସଲକୁ ନାଟୋର ସମର୍ଥନ ବିନା ଅନ୍ୟ କୌଣସି ନିଷ୍ପତ୍ତି ତାଙ୍କ ପାଇଁ ଗ୍ରହଣୀୟ ହେବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ବୁଧବାର ଆମେରିକା ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଗ୍ରୀନଲାଣ୍ଡ ପ୍ରସଙ୍ଗରେ ଡେନମାର୍କ ଓ ଗ୍ରୀନଲାଣ୍ଡର ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିବାକୁ ଯିବା ପୂର୍ବରୁ ଟ୍ରମ୍ପ ଏପରି କହିଛନ୍ତି। ଭାନ୍ସ ଡେନମାର୍କ ଓ ଗ୍ରୀନଲାଣ୍ଡର ଅଧିକାରୀଙ୍କ ସହିତ ଟ୍ରମ୍ପଙ୍କ ଗ୍ରୀନଲାଣ୍ଡ ଦଖଲ ବାବଦରେ କଥାବାର୍ତ୍ତା କରିବେ। ଡେନମାର୍କ ସାର୍ବଭୌମତ୍ବ ଅନ୍ତର୍ଗତ ଗ୍ରୀନଲାଣ୍ଡ ହେଉଛି ଏକ ସେମି ଅଟୋେନାମସ୍ ଅଞ୍ଚଳ। ତେବେ ଗ୍ରୀନଲାଣ୍ଡ ଦଖଲରେ ଆମେରିକା ପାଇଁ ନାଟୋ ପ୍ରତିବନ୍ଧକ ସାଜିଛି। ଡେନମାର୍କ ନାଟୋ ସଦସ୍ୟ ରାଷ୍ଟ୍ର ହୋଇଥିବାରୁ ଏହାର ସୁରକ୍ଷା ପାଇଁ ନାଟୋ ମୁହଁ ଖୋଲିଛି। ତେଣୁ ଟ୍ରମ୍ପ ଗ୍ରୀନଲାଣ୍ଡ ଦଖଲ ପାଇଁ ନାଟୋର ସହଯୋଗ ଲୋଡିଛନ୍ତି।
ମାତ୍ର ଗ୍ରୀନଲାଣ୍ଡବାସୀ ଆମେରିକାରେ ସାମିଲ ହେବାକୁ ନାରାଜ। ଗ୍ରୀନଲାଣ୍ଡବାସୀ କହିଛନ୍ତି ଯେ ସେମାନେ ଅନ୍ୟ ନିକଟରେ ବିକ୍ରି ହେବାକୁ ଚାହାନ୍ତି ନାହିଁ। ଆମେରିକାର ଗୋଲଡେନ ଡୋମ୍ ମିଶାଇଲ୍ ସିଷ୍ଟମ୍ ପାଇଁ ଗ୍ରୀନଲାଣ୍ଡ ଜରୁରୀ। ଗ୍ରୀନଲାଣ୍ଡରେ ଏହି ମିଶାଇଲ ସିଷ୍ଟମ୍ ସ୍ଥାପନ ଦ୍ବାରା ଆମେରିକା ରୁଷ୍ ଓ ଚୀନର ବିପଦକୁ ମୁକାବିଲା କରିପାରିବ।
Powered by Froala Editor