ମାସକ ଭିତରେ ଖୋଲିବ ପ୍ରାଥମିକ ସ୍କୁଲ !

ଭୁବନେଶ୍ୱର : ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି । ତେଣୁ ପିଲାମାନେ କୋଭିଡରେ ବିଶେଷ ଆକ୍ରାନ୍ତ ହେଉନାହାନ୍ତି । ଫଳରେ ପ୍ରାଥମିକ ବିଦ୍ୟାଳୟ ଖୋଲିବାରେ କୌଣସି ଅସୁବିଧା ନାହିଁ । ଆଇସିଏମ୍ଆରର ଏଭଳି ରିପୋର୍ଟ ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଲାଇଛନ୍ତି । ଏନେଇ ପ୍ରାରମ୍ଭିକ ବୈଠକ ଡକାଯାଇ ଆଲୋଚନା ହେଉଛି । ଯଦି ସବୁ କିଛି ଠିକ ଠାକ ଚାଲେ ଏବଂ କରୋନା ସଂକ୍ରମଣ ଏକ ହଜାର ତଳକୁ ଖସେ ତେବେ ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବ । କେବଳ ରାଜ୍ୟ ସରକାର ନୁହନ୍ତି । ସିବିଏସଇ ମଧ୍ୟ ଏଦିଗରେ ଆଗକୁ ବଢ଼ିଛି ।
ଆଇସିଏମଆର ରିପୋର୍ଟ ପରେ ବୋର୍ଡ କର୍ତୃପକ୍ଷ ଦେଶର ପ୍ରମୁଖ ସ୍କୁଲଗୁଡ଼ିକ ସହ ଆଲୋଚନା କରିଛନ୍ତି । ଅଧିକାଂଶ ସ୍କୁଲ କର୍ତୃପକ୍ଷ ବିଦ୍ୟାଳୟ ଖୋଲିବାକୁ ମତପୋଷଣ କରିଛନ୍ତି । ତେବେ ତୃତୀୟ ଲହର ଆସିବାକୁ ଥିବାରୁ ଏବେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିବା ସପକ୍ଷରେ ସିବିଏସଇ ନ ଥିବା ଜଣାପଡ଼ିଛି । ଜୁଲାଇ ୨୬ରୁ ଓଡ଼ିଶାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେବେ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁ ନ ଥିବାରୁ ଜିଲ୍ଲା ପ୍ରଶାସନ ଚିନ୍ତାପ୍ରକଟ କରିଛି । ୨୬ରୁ ସ୍କୁଲ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ । କାଗଜରେ ହେଉ ଅଥବା ଟେଲିଫୋନ, ହ୍ୱାଟସଆପ ମାଧ୍ୟମରେ ହେଉନା କାହିଁକି ସ୍କୁଲ ଆସିବା ଓ ହଷ୍ଟେଲରେ ରହିବା ପାଇଁ ଅଭିଭାବକଙ୍କ ଅନୁମତିପତ୍ର ବାଧ୍ୟତାମୂଳକ । ହଷ୍ଟେଲ ଖୋଲିବା ନେଇ ଏସଓପି ମଧ୍ୟ ଜାରି ହୋଇସାରିଛି ।
Powered by Froala Editor