ରାଷ୍ଟ୍ରପତିଙ୍କ ଅନୁମୋଦନ ; ଆଇନରେ ପରିଣତ ହେଲା VB-G RAM G ବିଲ୍
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିକଶିତ ଭାରତ-ରୋଜଗାର ଓ ଆଜୀବିକା ମିଶନ ( ଗ୍ରାମୀଣ) (VB-G RAM G) ବିଲ୍, ୨୦୨୫ କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହିପରି ମନରେଗା ସ୍ଥାନରେ ଏବେ ‘ଜି ରାମ ଜୀ ‘ ଆଇନରେ ପରିଣତ ହୋଇ ଯାଇଛି। ପୂର୍ବରୁ ଏହା ସଂସଦର ଉଭୟ ଗୃହ ଦ୍ୱାରା ଗୃହୀତ ହୋଇଥିଲା। ନୂତନ ଆଇନ ବର୍ତ୍ତମାନ ଗ୍ରାମୀଣ ପରିବାରଗୁଡ଼ିକୁ ପ୍ରତି ଆର୍ଥିକ ବର୍ଷରେ ୧୨୫ ଦିନର ବୈଧାନିକ ମଜୁରୀ ନିଯୁକ୍ତିର ଗ୍ୟାରେଣ୍ଟି ଦେବ, ଯାହା ପୂର୍ବ ୧୦୦ ଦିନ ଥିଲା।
ଗ୍ରାମୀଣ ପରିବାର ପାଇଁ ଏବେ ପ୍ରତିବର୍ଷ ଶ୍ରମିକ ରୋଜଗାର ଗାରେଣ୍ଟିକୁ ୧୨୫ ଦିନ ଯାଏ ବୃଦ୍ଧି କରାଯାଇଛି। ସଂସଦରେ ଗୁରୁବାର ବିରୋଧୀଙ୍କ ପ୍ରବଳ ବିରୋଧ ମଧ୍ୟରେ ‘ଜୀ ରାମ ଜୀ’ ବିଲ୍ ପାରିତ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, କଂଗ୍ରେସ ବାପୁଙ୍କ ଆଦର୍ଶ ଗୁଡ଼ିକୁ ହତ୍ୟା କରିଛି, ଯାହାକି ମୋଦି ସରକାର ସେଗୁଡ଼ିକୁ ଜୀବନ୍ୟାସ ଦେଇଛନ୍ତି। ମନରେଗା ଯୋଜନା ସ୍ଥାନରେ ନୂଆ ବିଲ୍ ଆଣିବା ଓ ଏଥିରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟେଇବାକୁ ନେଇ ବିରୋଧୀଙ୍କ ଅଭିଯୋଗ ଗୁଡ଼ିକୁ ଚୌହାନ ସଂପୂର୍ଣ୍ଣ ଖଣ୍ଡନ କରି ଦେଇଛନ୍ତି।
କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅନୁଯାୟୀ, ଏହି ବିଲ୍ ମନରେଗାକୁ ବଦଳାଇଥାଏ ଏବଂ ଏକ ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ସହିତ ଡିଜାଇନ୍ କରାଯାଇଛି । ସରକାରଙ୍କ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ ଆୟ ସୁରକ୍ଷାକୁ ସୁଦୃଢ଼ କରିବା ।
ଆଇନର ବ୍ୟବସ୍ଥା ଅନୁଯାୟୀ, ଇଚ୍ଛୁକ ଗ୍ରାମୀଣ ପରିବାରଗୁଡ଼ିକୁ ସର୍ବନିମ୍ନ ୧୨୫ ଦିନର ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ସାମ୍ବିଧାନିକ ଭାବରେ ଦାୟୀ ରହିବେ। ମଜୁରୀ ପ୍ରଦାନ ସପ୍ତାହିକ କିମ୍ବା ସର୍ବାଧିକ ୧୫ ଦିନ ମଧ୍ୟରେ ବାଧ୍ୟତାମୂଳକ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦେୟ ପ୍ରଦାନ ନ ହେଲେ ମଜୁରୀ ପ୍ରଦାନରେ ବିଳମ୍ବ ପାଇଁ କ୍ଷତିପୂରଣ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ଅଛି।
Powered by Froala Editor