ସୌମ୍ୟଙ୍କ କ୍ୱାର୍ଟର୍ସରେ ଡିଆଇଜି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତକୁ ଜୋରଦାର କରିଛି । ତେବେ ଏହାରି ଭିତରେ ଦକ୍ଷିଣାଞ୍ଚଳ ଡିଆଜି ସତ୍ୟବ୍ରତ ଭୋଇ ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି । ଗଜପତି ଏସପି ଓ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ଡିଆଇଜି ଶ୍ରୀ ଭୋଇ ବୈଠକ କରିବା ପରେ ମୃତ ସୌମ୍ୟଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି । ସେଠାରେ ସେ ସରଜମିନ ତଦନ୍ତ କରୁଥିବା ଜଣାଯାଇଛି । ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ ଉକ୍ତ ବାସଭବନରେ ଛାନଭିନ କରିଥିଲା । ଛାନଭିନ କରି ଡିଆଇଜିଙ୍କୁ ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲା କ୍ରାଇମବ୍ରାଞ୍ଚ ଟିମ । ପୁଲିସ ଓ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସରକାରୀ ବାସଭବନରେ ଯାଞ୍ଚ କରିବା ପରେ କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ କହିଥିଲେ ଯେ, ଘଟଣା ଘର ଭିତରେ ହିଁ ଘଟିଥିବା ଜଣାପଡ଼ିଛି । କ୍ୱାର୍ଟର୍ସ ପଛପଟ କବାଟ ପୋଡ଼ିଯାଇଛି । ତେବେ ମଶାରୀରେ ନିଆଁ ଲାଗିଛି । ପାରିପାଶ୍ୱିର୍କ ସ୍ଥିତି ଯାହା ଜଣାପଡ଼ିଛି, ଘର ଭିତରେ ହିଁ ଘଟଣା ଘଟିଛି । ସମସ୍ତଙ୍କ କଲ ଡିଟେଲ୍ସ ଯାଞ୍ଚ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକ କହିଥିଲେ ।
ଏପରିକି ଡିଆଇଜି ଶ୍ରୀ ଭୋଇ କହିଥିଲେ ଯେ, ପରିବାରର ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି । ଯେଉଁମାନଙ୍କ ନାମରେ ଅଭିଯୋଗ ଅଛି ସମସ୍ତେ ତଦନ୍ତ ପରିସରଭୁକ୍ତ । ଅଭିଯୋଗ ଆସିଥିବା ସମସ୍ତଙ୍କୁ ଜେରା କରାଯିବ । ବିଭିନ୍ନ ଦିଗକୁ ବିଚାର କରି ତଦନ୍ତ କରାଯାଉଛି ବୋଲି ଡିଆଇଜି କହିଥିଲେ ।
Powered by Froala Editor