ଦିଲ୍ଲୀ ବାୟୁ ପ୍ରଦୂଷଣ ସଂଘାତିକ, ଏନସିଆରରେ ଗ୍ରାପ୍-୪ ଲାଗୁ
ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଏତେ ବଢ଼ିଯାଇଛି ଯେ ଲୋକମାନେ ଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଛି । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀ ଏନସିଆରରେ ଗ୍ରାପ୍-୪ ଲଗାଯାଇଛି । ଅକ୍ଷରଧାମରେ ଦିଶୁନି ରାସ୍ତାଘାଟ। ଏଠାରେ ୪୯୦ ଟପିଛି ଏକ୍ୟୁଆଇ। ସେହିପରି ୨୧ଟି ସ୍ଥାନରେ ସାଂଘାତିକ ସ୍ଥିତିରେ ପହଞ୍ଚିଛି ବାୟୁ ପ୍ରଦୂଷଣ। ସ୍ଥିତିକୁ ନଜରରେ ରଖି ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ୍ଯୁଆଇ ଭେରି ସିଭିୟର କାଟେଗୋରୀ ସ୍ତରରେ ପହଞ୍ଚିଥିବା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ୍) ସବୁଠୁ କଠୋର ଗ୍ରାପ-୪ କଟକଣା ଲାଗୁ କରିଛନ୍ତି । ଏହା ପୂର୍ବରୁ ସିଏକ୍ୟୁଏମ୍ ଶନିବାର ସକାଳେ ପ୍ରଦୂଷଣ ସ୍ତର ବୃଦ୍ଧିର ମୁକାବିଲା କରିବା ଲାଗି ଗ୍ରାପ୍-୩ ଲାଗୁ କରିଥିଲେ । କିନ୍ତୁ ସନ୍ଧ୍ୟାରେ ପ୍ରଦୂଷଣ ବଢ଼ିବା ପରେ ତତ୍କାଳ ଗ୍ରାପ-୪ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦିଲ୍ଲୀ ୱାଜିରପୁରରେ ଏକ୍ୟୁଆଇ ସ୍ତର ସର୍ବାଧିକ ୪୪୫ ରହିଥିଲା ବେଳେ ବିବେକ ବିହାରରେ ୪୪୪, ଜାହାଙ୍ଗୀରପୁରୀରେ ୪୪୨, ଆନନ୍ଦ ବିହାରରେ ୪୩୯ ଓ ଅଶୋକ ବିହାରରେ ୪୩୭ ଏକ୍ୟୁଆଇ ସ୍ତର ପହଞ୍ଚିଥିବା ରେକର୍ଡ କରାଯାଇଛି । ସେହିଭଳି ନରେଲାରେ ଏକ୍ୟୁଆଇ ସ୍ତର ୪୩୨ ରେକର୍ଡ କରାଯାଇଥିଲା ବେଳେ ପଟପଡଗଞ୍ଜରେ ୪୩୧, ମୁଣ୍ଡକାରେ ୪୩୦, ଆଇଟିଓ ଓ ନେହରୁ ନଗରରେ ୪୨୯, ଚାନ୍ଦିନୀ ଚୌକ ଓ ପଞ୍ଜାବି ବାଗରେ ୪୨୩, ସିରି ଫୋର୍ଟ ଓ ସୋନିଆ ବିହାରରେ ୪୨୪, ବୁରାରୀରେ ୪୧୪, ନର୍ଥ କ୍ୟାମ୍ପସ ଓ ଆରକେ ପୁରମରେ ୪୦୮ ଏବଂ ଓଖଲାରେ ଏକ୍ୟୁଆଇ ସ୍ତର ୪୦୪ ରହିଛି ।
ଗ୍ରାପ-୪ କଟକଣା ଅନ୍ତର୍ଗତ ଜାତୀୟ ରାଜପଥ, ଅନ୍ୟାନ୍ୟ ସଡକ, ଫ୍ଲାଇଓଭର, ଓଭରବ୍ରିଜ ଓ ବିଦ୍ୟୁତ ବିତରଣ ପରିଯୋଜନା ସହ ଜଡିତ ସମସ୍ତ କାର୍ଯ୍ୟକୁ ଛାଡି ଅନ୍ୟ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ । ଦିଲ୍ଲୀରେ ଟ୍ରକ ଓ ଅନ୍ୟ ଭାରୀଯାନର ପ୍ରବେଶ ଉପରେ କଟକଣା ରହିବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଆସୁଥିବା ଯାନ, ସିଏନ୍ଜି ଓ ବୈଦ୍ୟୁତିକ ଟ୍ରକ ଏବଂ ବିଏସ୍-୬ ଇଞ୍ଜିନ ଥିବା ଟ୍ରକକୁ କଟକଣାରୁ ବାଦ୍ ଦିଆଯାଇଛି ।
Powered by Froala Editor