ମେସିଙ୍କୁ ଦେଖିବା ପାଇଁ କୋଲକାତାରେ ପ୍ରବଳ ହଙ୍ଗାମା
ନୂଆଦିଲ୍ଲୀ: ଷ୍ଟାର ଫୁଟବଲର ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । କୋଲକାତାର ସଲଟ ଲେକ ଷ୍ଟାଡିୟମରେ ଚେୟାର ସହ ଅନ୍ୟ ଆସବାବପତ୍ର ଫିଙ୍ଗା ଫୋପଡ଼ା ହୋଇଛି । ମେସିଙ୍କ ସହ ସେଲଫି ନେଇ ନପାରିବା ଓ ସାକ୍ଷାତ କରିନପାରିବାକୁ ନେଇ ସମର୍ଥକମାନେ ତାତିଛନ୍ତି । ମେସି ମାତ୍ର ୧୦ ମିନିଟ ପାଇଁ ଆସିଥିବାବେଳେ ତାଙ୍କୁ ନେତା ଓ ମନ୍ତ୍ରୀମାନେ ଘେରିଯାଇଥିଲେ । ବଲିଉଡ ଷ୍ଟାର ଶାହାରୁକ ଖାନ ମଧ୍ୟ ଷ୍ଟାଡିୟମକୁ ଆସିବେ ବୋଲି ଆୟୋଜକମାନେ କହିଥିଲେ । କିନ୍ତୁ ସେ ମଧ୍ୟ ଆସିନଥିଲେ । ୧୨ ହଜାର ଟଙ୍କାର ଟିକେଟ ଓ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ନେଇ ସମର୍ଥକମାନେ ତାତିଛନ୍ତି । ସେଲିବ୍ରେସନ ପାଇଁ ବନ୍ଧାଯାଇଥିବା ଟେଣ୍ଟକୁ ବି ଓପାଡ଼ି ଫିଙ୍ଗିଦେଇଛନ୍ତି । ତେବେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିବା ଖବର ମିଳିଛି । ମେସିଙ୍କୁ ଦେଖାଇବାକୁ ଟିକେଟ କରି ସବୁ ଲୁଟିଲେ ବୋଲି ସମର୍ଥକମାନେ ଅଭିଯୋଗ କରିଛନ୍ତି । ଉକ୍ତ ସଲଟ ଲେକ ଷ୍ଟାଡିୟମରେ ପାଖାପାଖି ୫୦ ହଜାର ଦର୍ଶକ ଉପସ୍ଥିତ ଥିଲେ ।
ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ହୋଇଥିବା ଏହି ଇଭେଣ୍ଟ ପାଇଁ ୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କା ପର୍ୟ୍ୟନ୍ତ ମୋଟା ଅଙ୍କର ଅର୍ଥ ଦେବା ସତ୍ତ୍ୱେ, ଅନେକ ପ୍ରଶଂସକ ଦାବି କରିଛନ୍ତି ଯେ, ସେମାନେ ଫୁଟବଲ୍ କିମ୍ବଦନ୍ତୀଙ୍କୁ ଠିକ୍ ଭାବରେ ଦେଖିପାରିଲେ ନାହିଁ। ମେସି ସକାଳ ୧୧:୧୫ରେ ଭେନ୍ୟୁରେ ପହଞ୍ଚିଥିଲେ। କିନ୍ତୁ ଶୀଘ୍ର ଷ୍ଟାଡିୟମ୍ ଛାଡି ଚାଲିଯାଇଥିଲେ। ଜଣେ ପ୍ରଶଂସକ ଏହି କାର୍ୟ୍ୟକ୍ରମକୁ "ସମ୍ପୂର୍ଣ୍ଣ ଅପମାନ" ବୋଲି କହିଥିଲେ କାରଣ ମେସି ଷ୍ଟାଡିୟମ୍ ପୂରା ବୁଲି ଦେଖି ନଥିଲେ।
Powered by Froala Editor