ଅକ୍ସିଜେନ ସଙ୍କଟ ଯୋଗୁ କାହାର ମୃତ୍ୟୁ ହୋଇନି : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

କରୋନା ମହାମାରୀ ଦ୍ୱିତୀୟ ଲହରୀ ସମୟରେ ଅକ୍ସିଜେନ ଅଭାବରୁ କେହି ମୃତ୍ୟୁବରଣ କରି ନାହାନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିବୃତି ରଖାଯାଇଛି । ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ରିପୋର୍ଟ ଦେଇ ନଥିବା କେନ୍ଦ୍ର ସରକାର ଗୃହକୁ ଅବଗତ କରାଇଛନ୍ତି।
କେନ୍ଦ୍ର ସରକାର କହିଛନ୍ତି, ଅକ୍ସିଜେନ ଅଭାବାରୁ କାହାର ମୃତ୍ୟୁ ଘଟିନାହିଁ। କିନ୍ତୁ ଦ୍ୱିତୀୟ ୱେଭର ପିକ୍ ବେଳେ ଅକ୍ସିଜେନର ଚାହିଦା ଆଶାତୀତ ଭାବେ ବଢ଼ିଥିଲା। ପ୍ରଥମ ୱେଭ ବେଳେ ୩୦୯୫ ମେଟ୍ରିକ ଟନ୍ ଆବଶ୍ୟକ ପଡ଼ୁଥିବା ବେଳେ ଦ୍ୱିତୀୟ ୱେଭ ବେଳେ ଏହା ପ୍ରାୟ ୯୦୦୦ ଏମଟିରେ ପହଞ୍ଚି ଯାଇଥିଲା।
ଏହି ବିବୃତି ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ଡାଟା ଅନୁସାରେ ଅକ୍ସିଜେନ ଅଭାବ କଥା କୌଣସିଠାରେ ଉଲ୍ଲେଖ ହୋଇ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାୱିୟା ସଂସଦରେ କଂଗ୍ରେସ ସାଂସଦ କେସି ବେଣୁଗୋପାଳଙ୍କ ପ୍ରଶ୍ନର ଉତରରେ ଏହା କହିଛନ୍ତି ।
ମହାମାରୀ କରୋନାର ଦ୍ୱିତୀୟ ୱେଭ ବେଳେ ଅକ୍ସିଜେନ ପାଇଁ ଲୋକଙ୍କ ମଧ୍ୟରେ କେଉଁ ଭଳି ହାହାକାର ସ୍ଥିତି ସୃଷ୍ଟି ହୋଇଥିଲା । ଦେଶ ଠାରୁ ବିଶ୍ୱସ୍ତରୀୟ ଗଣମାଧ୍ୟମରେ ଅକ୍ସିଜେନ ଅଭାବ କଥା ପ୍ରକାଶ ପାଇଥିଲା। ଅନେକ ରାଜ୍ୟରେ ଅକ୍ସିଜେନ ଅଭାବରୁ ଶହଶହ ଲୋକ ପ୍ରାଣ ହରାଇଥିବା ରିପୋର୍ଟ ସାମ୍ନାକୁ ଆସିଥିଲା। ତେବେ କୌଣସି ରାଜ୍ୟ ପକ୍ଷରୁ ଅକ୍ସିଜେନ ଅଭାବ ମୃତ୍ୟୁ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ ବୋଲି ସେ କହିଛନ୍ତି ।
Powered by Froala Editor