ଦେବଗଡ଼ର ବିନୟ ଶ୍ରୀକାନ୍ତ ତାଞ୍ଜାନିଆରେ ଭାରତର ଲୋକାୟୁକ୍ତ ଭାବେ ନିଯୁକ୍ତ
ଓଡ଼ିଶା ଦେବଗଡରେ ଜନ୍ମିତ ଆଇଏଫ୍ଏସ୍ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି । ବିନୟ ଶ୍ରୀକାନ୍ତଙ୍କୁ ଭାରତ ସରକାର ନିଯୁକ୍ତି ଦେଇଥିବା ନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେ ୨୦୧୯ରୁ ଋଷର ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ଡେପୁଟି ଚିଫ୍ ଅଫ୍ ମିଶନ୍ ଭାବେ ଅବସ୍ଥାପିତ ଅଛନ୍ତି । ଖୁବ ଶୀଘ୍ର ସେ ନୂଆ ପଦ ଗ୍ରହଣ କରିବେ । ଏହି ଖବର ପାଇବା ପରେ ତାଙ୍କ ବନ୍ଧୁ, ପରିବାର ଏବଂ ଅଞ୍ଚଳବାସୀଙ୍କ ମନରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଶୁଭେଚ୍ଛାର ସୁଅ ଛୁଟିଛି ।
ସୂଚାନଯୋଗ୍ୟ, ଶ୍ରୀ ପ୍ରଧାନ ଦେବଗଡ଼ର ଆରବିଡ଼ି ବିଦ୍ୟାଳୟରୁ ପାଠ ପଢ଼ି ଜିଏମ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସହିତ ଜେଏନୟୁରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଜଣେ ଦକ୍ଷ ଏବଂ ବିଶିଷ୍ଟ କୂଟନୀତିଜ୍ଞ ଭାବରେ ସେ ୨୦୦୪ ରୁ ୨୦୧୨ ପର୍ଯ୍ୟନ୍ତ ମସ୍କୋ, ତୁର୍କମେନିସ୍ତାନ ଏବଂ ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସରେ ବରିଷ୍ଠ ପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଆଫଗାନିସ୍ତାନ ଓ ଇରାନ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ନେଇ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମଧ୍ୟ କାର୍ଯ୍ୟ କରିଥିଲେ ।
Powered by Froala Editor