ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ନେଲା ଉଗ୍ରରୂପ, ୧୦ ଦୋକାନକୁ ଜାଳିଦେଲେ ଦୁର୍ବୃତ୍ତ
ବେଗୁନିଆ: ବିବାଦୀୟ ସ୍ଥାନରେ ଲାଗୁ ହୋଇଥିବା ଧାରା ୧୬୩ ପ୍ରତ୍ୟାହୃତ ପରେ ପୁଣି ସୀମା ବିବାଦକୁ ନେଇ ସିମର ବାଙ୍କୀ ମୁଖ୍ୟ ରାସ୍ତାରେ ଓସ୍ତପୁର ଏବଂ କୋଟପଲା ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି। ବିବାଦୀୟ ସ୍ଥାନରେ ପ୍ରାୟ ୧୦ ଦୋକାନକୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି। କେତେକ ଦୋକାନରୁ ଲୁଟ୍ପାଟ୍ ହୋଇଛି। ଦୀର୍ଘ ସମୟ ଧରି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଢେଲା, କାଚ ଓ ବୋତଲ ମାଡ଼ରେ ରାସ୍ତା ରଣକ୍ଷେତ୍ର ପାଲଟି ଥିଲା। ଖବରପାଇ ଖୋର୍ଦ୍ଧା ଏସ୍ପି ବିବେକାନନ୍ଦ ଶର୍ମାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଅତିରିକ୍ତ ଜିଲାପାଳ ରାଜସ୍ବ ସାଫଲ୍ୟ ମଣ୍ଡିତ ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରି ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଗାଁ ନାମ ଫଳକ ଲାଗିବାକୁ ନେଇ ଏପରି ବିବାଦ ବର୍ଷ ବର୍ଷ ଧରି ଲାଗି ରହିଛି। ରାସ୍ତାର ଦୁଇ ପାର୍ଶ୍ୱରେ ଉଭୟ ଗାଁ ରହିଥିଲେ ମଧ୍ୟ ଗାଁର ନାମ ଫଳକ ଲାଗିବାକୁ ନେଇ ବିବାଦ ଦେଖାଦେଇଛି। ମଙ୍ଗଳବାର ରାତିରେ ଗାଁର ନାମ ଥିବା ସରକାରୀ ଫଳକ କେହି ଦୁର୍ବୃତ୍ତ କାଢ଼ି ନେବା ପରେ ବୁଧବାର ସକାଳୁ ସ୍ଥାନୀୟ ବଜାରରେ ଉତ୍ତେଜନା ପ୍ରକାଶ ପାଇଥିଲା।
Powered by Froala Editor