ମୌସୁମୀ ଅଧିବେସନରେ ଏହି ଦାବି ଉଠାଇବ ବିଜେଡି
ଭୁବନେଶ୍ୱର:ଆଜି ଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏ ଅଧିବେଶନ ପାଇଁ ବିଜୁ ଜନତା ଦଳ ତା’ର ରଣନୀତି ନିର୍ଦ୍ଧାରଣ କରିଛି । ଏମପିମାନଙ୍କ ହାତପାଣ୍ଠି ପୁନର୍ବାର ଚାଲୁ କରିବା ଉପରେ ଦଳ ଜୋର ଦେବ । ଏହି ପାଣ୍ଠି ଅଭାବରୁ ଏମପିମାନେ ଲୋକମାନଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଫେଲ୍ ହେଉଥିବା ଦଳ ଦର୍ଶାଇବ । ଏହାଛଡ଼ା ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଦେଢ଼ଗୁଣା ବୃଦ୍ଧି, ତ୍ୱରିତ କୋଭିଡ ଟିକା ଯୋଗାଣ, ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବିଲକୁ ତୁରନ୍ତ ପାରିତ କରିବା ନେଇ ଦଳ ସ୍ୱରକୁ ତଗଡ଼ା କରିବାକୁ ନିଷ୍ପତ୍ତି ନେଇଛି । ଓଡିଶାକୁ ବିଧାନ ପରିଷଦ ଓ ସ୍ୱତନ୍ତ୍ର ପାହ୍ୟା ଶୀଘ୍ର ମଞ୍ଜୁର କରିବା ପାଇଁ ବିଜେଡି ମୌସୁମୀ ଅଧିବେଶନରେ ଦାବି ଉଠାଇବ ବୋଲି ସ୍ପଷ୍ଟ କରିଦେଇଛି ।ଅଧିକ ଆବାସ ମଞ୍ଜୁର ନହେଲେ ପ୍ରଧାନମନ୍ତ୍ରୀଙ୍କ ସମସ୍ତଙ୍କ ପାଇଁ ଘର ଯୋଜନା କେମିତି ସଫଳ ହେବ ବୋଲି ଦଳର ସାଂସଦ ଡ. ଅମର ପଟ୍ଟନାୟକ ପାଲଟା ପ୍ରଶ୍ନ କରିଛନ୍ତି ।
ରବିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ଲୋକସଭାରେ ଦଳର ନେତା ପିନାକୀ ମିଶ୍ର ଓ ରାଜ୍ୟ ସଭାରେ ଦଳର ନେତା ପ୍ରସନ୍ନ ଆଚାର୍ୟ୍ୟ ଯୋଗ ଦେଇଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ବିଜେଡିର ଉଭୟ ନେତା ସ୍ପଷ୍ଟ କରିଦେଇଥିଲେ ଯେ ଓଡିଶାରେ ବିଧାନ ପରିଷଦ ଗଠନ କରିବା ସକାଶେ ଏକ ସର୍ବଦଳୀୟ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଇଛି । ଏହାକୁ ଶୀଘ୍ର ମଞ୍ଜୁର କରିବା ପାଇଁ ସେମାନେ ଦାବି କରିଥିଲେ । ଓଡିଶା ଭଳି ଏକ ପ୍ରାକୃତିକ ବିପର୍ୟ୍ୟୟ ପ୍ରଭାବିତ ରାଜ୍ୟ ହୋଇଥିବାରୁ ସ୍ୱତନ୍ତ୍ର ପାହ୍ୟା ମିଳୁ । ଏହାଦ୍ୱାରା ରାଜ୍ୟ ଶତ ପ୍ରତିଶତ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ପାଇପାରିବ । ଅଧିକ ଅନୁସୂଚିତ ଜାତିକୁ କେନ୍ଦ୍ରୀୟ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ଦଳ ଦାବି ଉଠାଇବ ।
Powered by Froala Editor