ଡିଜି ଅଫିସରେ ସୌମ୍ୟଙ୍କ ବାପା
କଟକ: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତକୁ ଜୋରଦାର କରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ଘଟଣାକୁ ନେଇ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଆଜି କଟକସ୍ଥ ଡିଜିପି ଅଫସିରେ ପହଞ୍ଚିଥିବା ଜଣାଯାଇଛି । ଡିଜିପିଙ୍କୁ ଦାବିପତ୍ର ଦେବାକୁ ଅଭିରାମ କଟକ ପହଞ୍ଚିଥିବା ଜଣାଯାଇଛି । ଦାବିପତ୍ରରେ ୩ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ସେ ଅନୁରୋଧ କରିଛନ୍ତି । ବୋହୂ, ଡିଏଫଓ ଓ ରୋଷେୟାଙ୍କ ଲାଇ ଡେଟେକ୍ସନ ଟେଷ୍ଟ କରାଯିବାକୁ ସେ ଦାବି କରିଛନ୍ତି । ଏଥିସହ ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାକୁ ବି ସେ ଦାବି କରିଛନ୍ତି । ଗୁରୁତର ସୌମ୍ୟଙ୍କୁ ବ୍ରହ୍ମପୁର ପରିବର୍ତ୍ତେ କଟକ କାହିଁକି ନିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଫରେଷ୍ଟ ଅଫିସ ଆଗରେ ଆମ୍ବୁଲାନ୍ସ ଅଟକିବା ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ପ୍ରକାଶ ଯେ, ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନିଆଁରେ ପୋଡ଼ି ହୋଇ ମୃତୁ୍ୟବରଣ କରିଥିବା କୁହାଯାଉଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।
ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ୬ଦିନ ବିତିଲା। ଏପର୍ୟ୍ୟନ୍ତ ଖିଅ ପାଉନି ପୋଲିସ। ବିଭିନ୍ନ ଦିଗକୁ ନେଇ ଚଳାଇଛି ତଦନ୍ତ। ଏହି ଘଟଣାରେ ଆଜି ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ପଚରାଉଚରା କରୁଛି ପୋଲିସ। ପାରଳାଖେମୁଣ୍ଡିରୁ ଆସିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମୃତ ସୌମ୍ୟଙ୍କ ମା’ ଓ ମାମୁଙ୍କୁ ପଚରାଉଚରା କରିଛି। ବିଶେଷ କରି ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୋଲିସ। ପଚରାଉଚରା ବେଳେ, ପୋଲିସ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସୌମ୍ୟଙ୍କ ମା’।
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମା’। ଏପରିକି ଝଗଡା ପରେ ବିଦ୍ୟାଭାରତୀ ହାତରୁ ଚୁଡି ଭାଙ୍ଗି ଘରୁ ପଳାଇଥିଲେ । ବହୁ ଖୋଜା ଖୋଜି କରିବା ପରେ ବିଦ୍ୟାଭାରତୀଙ୍କୁ ଡିଏଫଓଙ୍କ ଘରୁ ପାଇଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ମା’ । ଏସବୁ ଦିଗକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୋଲିସ । ଏହାପରେ କପ୍ତିପଦା ଯାଇ ବିଦ୍ୟା ଭାରତୀ ବାପା ଓ ପରିବାର ଲୋକଙ୍କୁ ପଚରାଉଚରା କରିବ ପୋଲିସ । ଗତକାଲି ସୌମ୍ୟରଞ୍ଜନଙ୍କ ଡ୍ୟୁଟି ସମ୍ପର୍କିତ ଦସ୍ତାବିଜ ନେଇ ଯାଞ୍ଚ ପାଇଁ ଉଦ୍ୟମ କରିଥିଲେ।
Powered by Froala Editor