ସବୁ ଜିଲ୍ଲାରେ ଗଡ଼ିଲା ବସ
କଟକ : କରୋନା ମହାମାରୀ ମଧ୍ୟରେ ଆଜିଠାରୁ ସାରାରାଜ୍ୟରେ ବସ ଚଳାଚଳ ଆରମ୍ଭ କରିଛି । ନିଖିଳ ଓଡ଼ିଶା ବସ ମାଲିକ ସଂଘର ୧୦ ଦଫା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିବା ପରେ ବସ ଚଳାଚଳ ସ୍ୱାଭାବିକ ହେବାନେଇ ଆଶା ସଂଚାର ହୋଇଛି । ମାତ୍ର, ଦୀର୍ଘ ତିନିମାସରୁ ଅଧିକ ସମୟ ଧରି ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକର ମରାମତି କରାଯାଇ ରାସ୍ତା ଉପରକୁ ଆଣିବା ପାଇଁ ଏବେ ଗ୍ୟାରେଜଗୁଡିକରେ ମେକାନିକ ଓ ଶ୍ରମିକଙ୍କ ଅଭାବ ଦେଖାଯାଇଛି । ଏଭଳି ପରିସ୍ଥିତିରେ ସୋମବାରରୁ ମାତ୍ର ୧୦ରୁ ୧୫ ପ୍ରତିଶତ ବସ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
କରୋନା ମହାମାରୀ ପାଇଁ ଗତ ଏପ୍ରିଲ ୧୦ରୁ ରାଜ୍ୟ ବାହାରକୁ ଓ ମେ ମାସ ୫ରୁ ରାଜ୍ୟ ଭିତରେ ବସ ଚଳାଚଳକୁ ସରକାର ବନ୍ଦ କରିଥିଲେ । ସଂକ୍ରମଣ ସ୍ଥିତିରେ ସୁଧାର ଆସିବାରୁ ଚଳିତମାସ ୧ରୁ ରାଜ୍ୟର ୨୦ଟି ଜିଲ୍ଲାରେ ଓ ଏବେ ବଳକା ୧୦ଟି ଜିଲ୍ଲାରେ ବସ ଚଳାଇବାକୁ ସରକାର ଅନୁମତି ଦେଇଛନ୍ତି । ରାଜ୍ୟର ମୋଟ ୧୬ ହଜାରୁ ଅଧିକ ବସ ଗତ ୩ ମାସ ଧରି ଛିଡ଼ା ହୋଇଥିବା ବେଳେ ଏବେ ସେଗୁଡ଼ିକ ଗଡ଼ିବା ପୂର୍ବରୁ ମରାମତିର ଆବଶ୍ୟକତା ରହିଛି । ତେବେ ଗ୍ୟାରେଜଗୁଡିକରେ ମେକାନିକ ଓ ଶ୍ରମିକ ନଥିବାରୁ ଏବେ ବସ ମରାମତି ପାଇଁ ସମସ୍ୟା ଦେଖାଯାଇଛି । ଏଥିପାଇଁ ରାଜ୍ୟରେ ସୋମବାରରୁ ମାତ୍ର ୨ରୁ ୩ ହଜାର ବସ ଚଳାଚଳ କରିବା ଆଶା ରହିଛି ବୋଲି ଅଲ ଓଡ଼ିଶା ବସ ଓନର ଆସୋସିଏସନର ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି ।
Powered by Froala Editor