ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ କମିଟି ସଭାପତି ନିଯୁକ୍ତ

ସବୁ କଳ୍ପନାଜଳ୍ପନା ପରେ ବଡ ନିଷ୍ପତ୍ତି ନେଇଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିଯୁକ୍ତ ହୋଇଛନ୍ତି । ଏଆଇସିସି ଦ୍ବାରା ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ନବଜୋତ ସିଂହ ସିଦ୍ଧୁଙ୍କୁ ତତ୍କାଳ ପ୍ରଭାବରେ ପଞ୍ଜାବ କଂଗ୍ରେସ ସଭାପତି ନିଯୁକ୍ତ କରିଛନ୍ତି। ସିଦ୍ଧୁଙ୍କ ସମେତ ୪ ଜଣ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗତ ସିଂହ ଗିଲଜିଆନ, ସୁଖିନ୍ଦର ସିଂହ ଡାନି, ପବନ ଗୋୟଲ ଏବଂ କୁଲଜିତ୍ ସିଂହ ନଗରା ସାମିଲ ଅଛନ୍ତି।
ସୋନିଆ ଗାନ୍ଧୀ ନିଜେ କଂଗ୍ରେସ ସାଂସଦ ଓ ନେତାମାନଙ୍କୁ ଡାକିଥିଲେ। ଏହା ପରେ ସିଦ୍ଧୁଙ୍କୁ ବିରୋଧ କରୁଥିବା ନେତାଙ୍କ ସ୍ୱର ନରମି ଯାଇଥିଲା। ସୂଚନା ଥାଉ କି, କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ପଞ୍ଜାବରେ ନବଜୋତ ସିଂ ସିଦ୍ଧୁଙ୍କୁ ସୁନୀଲ ଜାଖଡ଼ଙ୍କ ସ୍ଥାନରେ ନୂତନ ରାଜ୍ୟ ସଭାପତି କରାଯାଇଛି। ଏଠାରେ ଆଉ ଏକ କଥା ଲକ୍ଷ୍ୟ କରାଯାଇଛି ଯେ ଏପର୍ଯ୍ୟନ୍ତ କଂଗ୍ରେସ ଯେବେ କେଉଁ ଅଧ୍ୟକ୍ଷ କିମ୍ବା ମୁଖ୍ୟମନ୍ତ୍ରୀ କରନ୍ତି ସୋନିଆ ଗାନ୍ଧିଙ୍କ ନାମରେ ପତ୍ର ଆସିଥାଏ । ହେଲେ ଏଥର ପ୍ରଥମ ଥର ପାଇଁ ପ୍ରଦେଶ କାର୍ଯ୍ୟକାରିଣୀ ପୂର୍ବରୁ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଦିଆଗଲା । ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ ସୋମବାର ଥିବା ବେଳେ ରବିବାର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି ।
Powered by Froala Editor