ସୋମବାରରୁ ସାରା ରାଜ୍ୟରେ ଚାଲିବ ବସ
ଭୁବନେଶ୍ୱର : ସୋମବାରଠାରୁ ସାରା ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହେବ । ନିଖିଳ ଓଡ଼ିଶା ବସ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ୧୦ ଦଫା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବସ ମାଲିକ ସଂଘର ସମସ୍ତ ଦାବି ଉପରେ ଆଲୋଚନା ହେବା ପରେ ଏହାକୁ ଧୀରେ ଧୀରେ ପୂରଣ କରିବାକୁ ରାଜ୍ୟ ସରକାର ସମୟ ନେଇଛନ୍ତି । ଏହାପରେ ବସ ମାଲିକ ସଂଘ ବସ ଚଳାଇବାକୁ ରାଜି ହୋଇଛି । ତେଣୁ ଏବେ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ବସ ଚଳାଚଳ କରିବ । ପ୍ରତି ବସରେ ଯେତିକି ସିଟ ସେତିକି ଯାତ୍ରୀ ଯିବେ । ବିନା ମାସ୍କରେ କାହାକୁ ନିଆଯିବନି । ବସକୁ ପ୍ରତିଦିନ ବିଶୋଧନ କରାଯିବ । ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକଙ୍କ କହିବାନୁଯାୟୀ, ରାଜ୍ୟ ସରକାର ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ରୋଡ ଟିକସ ଛାଡ଼ କରିବାକୁ ରାଜି ହୋଇଛନ୍ତି ।
ସେହିପରି ବାହାର ରାଜ୍ୟକୁ ଗାଡ଼ି ଚଳାଚଳ କରିବାକୁ ଅନୁମତି ଦେବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି । ଆମ ରାଜ୍ୟରେ ବାହାର ରାଜ୍ୟରୁ ଆସୁଥିବା ବସ ଉପରେ ଟିକସ ଛାଡ଼ ହୋଇଥିବାବେଳେ ସେମାନଙ୍କ ରାଜ୍ୟରେ ବି ଆମ ବସ ଉପରୁ ଟିକସ ଛାଡ଼ କରିବା ନେଇ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି । ୪ମାସ ହେଲା ବସ ଚାଲିନଥିବାରୁ ବୀମା ଅବଧି ଆଉ ୪ମାସ ବଢ଼ାଇବାକୁ କୁହାଯାଇଛି । ଏନେଇ ରାଜ୍ୟ ସରକାର ଆଇଆରଡିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ବୈଠକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଭାଗୀୟ ପ୍ରମୁଖ ସଚିବ ମଧୁସୂଦନ ପାଢୀ, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ପ୍ରମୁଖ ଉପସ୍ଥିତ ଥିଲେ ।
Powered by Froala Editor