ଜୁଲାଇ ୨୬ରୁ ଖୋଲିବ ସ୍କୁଲ
ଭୁବନେଶ୍ୱର : କରୋନା ପାଇଁ ପାଠପଢ଼ା ଏକରକମ ଠପ ହୋଇଯାଇଛି । ସ୍କୁଲ ଖୋଲି ପାରୁନଥିବାରୁ ଅନଲାଇନରେ କ୍ଲାସ କରାଯାଉଛି । କିନ୍ତୁ ସବୁ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହୋଇପାରୁନାହାନ୍ତି । ଅପରପକ୍ଷରେ ଏବେ ସଂକ୍ରମଣ କମିଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛନ୍ତି । ଜୁଲାଇ ୨୬ରୁ ସ୍କୁଲରେ ଦଶମ ଓ ଦ୍ୱାଦଶ ପାଠପଢ଼ା ହେବବୋଲି ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟଯେ, ଗତବର୍ଷ ଆରମ୍ଭରୁ ଏଯାବତ ବିଦ୍ୟାଳୟ ଖୋଲି ପାରିନାହିଁ । କରୋନା ସମୟରେ ଦଶମ ଶ୍ରେଣୀ ପିଲାଙ୍କର ଶହେଦିନିଆ ପାଠପଢ଼ା କରାଯାଇଥିଲା । ହେଲେ ପରୀକ୍ଷା ହୋଇପାରିନଥିଲା । ଫଳରେ ଚଳିତ ବର୍ଷ ମାଟ୍ରିକ ପିଲାମାନେ ବିନା ପରୀକ୍ଷାରେ ପାଶ କରିଛନ୍ତି । ପ୍ରାୟ ୯୮% ପାଶ କରିଛନ୍ତି । ତେବେ ମୂଲ୍ୟାଙ୍କନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଅନେକ ଅଭିଭାବକ ଓ ଛାତ୍ରଛାତ୍ରୀ ରାଜରାସ୍ତାକୁ ବି ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ ।
ଦଶମ ଭଳି ଦ୍ୱାଦଶ ପାଠପଢ଼ା ବି ବାଧାପ୍ରାପ୍ତ ହୋଇଥିଲା । ଦ୍ୱାଦଶ ପରୀକ୍ଷା ବାତିଲ ହୋଇଥିବାବେଳେ ବିନା ପରୀକ୍ଷାରେ ସେମାନଙ୍କ ମାର୍କ ନିର୍ଦ୍ଧାରଣ କରାଯିବ । ଦଶମ ପାଶ ପିଲାମାନଙ୍କର ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଯୁକ୍ତ ଦୁଇ ଖୋଲିବାକୁ ବି ଯୋଜନା ହୋଇଛି ।
Powered by Froala Editor