ଡବଲ୍ ଡୋଜ୍ ନେଇଥିଲେ ବ୍ୟକ୍ତି ଡେଲ୍ଟା ଭରିଆଣ୍ଟରୁ ସୁରକ୍ଷିତ
ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ସହ ଲଢ଼ୁଛି ଦେଶ । ଯଦିଓ ଏବେ ସଂକ୍ରମଣ କମିଛି, ମାତ୍ର ମୃତ୍ୟୁ ସଂଖ୍ୟା ହ୍ରାସ ପାଉନି । ସବୁଠୁ ଅଧିକ କ୍ଷତି ପହଞ୍ଚାଉଛି ଡେଲ୍ଟା ଭାରିଆଣ୍ଟ । ଏହି ଭୂତାଣୁ ଯୋଗୁଁ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହିତ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । କରୋନା ବିରୋଧ ଲଢ଼େଇରେ ଅମୋଘ ଅସ୍ତ୍ର ସାଜିଛି ଟିକା । ଏଥିପାଇଁ ଦେଶରେ ଟିକାକରଣକୁ ଜୋରଦାର୍ କରାଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ଏଭଳି ସ୍ଥିତିରେ ପୁଣି ଏକ ଖୁସି ଖବର ସାମ୍ନାକୁ ଆସିଛି । ଯେଉଁମାନେ ଡବଲ୍ ଡୋଜ୍ ଟିକା ନେଇଛନ୍ତି ସେମାନଙ୍କ ବିଶେଷ କ୍ଷତି ପହଞ୍ଚାଇ ପାରୁନି ଡେଲ୍ଟା ଭାରିଆଣ୍ଟ । ନିକଟରେ ଆଇସିଏମ୍ଆର୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି । କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ସଦସ୍ୟ ତଥା କୋଭିଡ ଟାସ୍କ ଫୋର୍ସ ଟିମର ଅଧ୍ୟକ୍ଷ ଡାକ୍ତର ଭି.କେ ପାଲ୍ ଏହା କହିଛନ୍ତି ।
ସେ କହିଛନ୍ତି, ଡବଲ ଡୋଜ୍ ନେଇଥିବା ବ୍ୟକ୍ତିମାନେ ଘାତକ ଡେଲଟା ଭାରିଆଣ୍ଟ ପ୍ରଭାବରୁ ପାଖାପାଖି ୯୫ ପ୍ରତିଶତ ସୁରକ୍ଷିତ । ଯେଉଁମାନେ ଗୋଟିଏ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ୮୨ ପ୍ରତିଶତ ସଂକ୍ରମଣ ଆଶଙ୍କା କମ୍ । ଆଇସିଏମଆର ତାମିଲନାଡୁର ୧.୨ ଲକ୍ଷ ପୁଲିସ କର୍ମଚାରୀଙ୍କ ଉପରେ ଏହି ସର୍ଭେ କରିଥିଲା । ୧,୧୭,୫୨୪ ପୁଲିସ କର୍ମୀଙ୍କୁ ଆଇସିଏମଆର ସର୍ଭେରେ ସାମିଲ କରିଥିଲା । ଏଥିମଧ୍ୟରୁ ୧୭,୦୫୯ ଜଣ ଟିକା ନେଇନଥିଲେ । ୩୨,୭୯୨ ଜଣ ଗୋଟିଏ ଡୋଜ ନେଇଥିବା ବେଳେ ୬୭,୬୭୩ ଜଣ ଡବଲ ଡୋଜ ନେଇଥିଲେ । ଆଇସିଏମଆର ଅନୁଧ୍ୟାନ କରି ଜାଣିବାକୁ ପାଇଛି ଯେ ଯେଉଁମାନେ ଟିକା ନେଇ ନଥିଲେ ସେମାନଙ୍କ କ୍ଷେତ୍ରରେ ହାରାହାରି ୧୦୦୦ ଜଣରେ ୧.୧୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଗୋଟିଏ ଡୋଜ ନେଇଥିବା ୧୦୦୦ ଜଣଙ୍କ ମଧ୍ୟରେ ୦.୨୧ ପ୍ରତିଶତ ମୃତ୍ୟୁ ହୋଇଛି । ଡବଲ୍ ଡୋଜ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ୦.୬ ପ୍ରତିଶତ । ତେଣୁ ଟିକା କରୋନା ବିରୋଧରେ ପ୍ରଭାବଶାଳୀ ରହିଛି ବୋଲି ପାଲ୍ କହିଛନ୍ତି ।
ଏହାସହିତ ଯେଉଁ ବ୍ୟକ୍ତିମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ନେବାକୁ ପରାମର୍ଶ ଦେଇଛନ୍ତି । କିଛି ବ୍ୟକ୍ତି ଏବେ ବି ଟିକା ନେବାକୁ ଭୟ କରୁଛନ୍ତି ତେଣୁ ସେମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଆଗାମୀ ଦିନରେ ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ଏଥିପ୍ରତି ସତର୍କ ରହିବାକୁ କୁହାଯାଇଛି ।
Powered by Froala Editor