ପ୍ରଳୟଙ୍କାରୀ ବନ୍ୟାରେ ୧୨୦ ମୃତ, ଜାରି ରହିଛି ରେସକ୍ୟୁ ଅପରେସନ
ପଶ୍ଚିମ ଜର୍ମାନୀ ଏବଂ ବେଲଜିୟମରେ ପ୍ରଳୟଙ୍କରୀ ବନ୍ୟା ପ୍ରକୋପରେ ଜର୍ମାନୀରେ ପ୍ରାୟ ୧୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଯାଏଁ ୧୩୦୦ରୁ ଉର୍ଦ୍ଧ୍ଵ ଲୋକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରୁ ଜର୍ମାନୀର ରିନେଲ୍ୟାଣ୍ଡ-ପଲାଟିନେଟ୍ ରାଜ୍ୟରୁ ୬୦ ଜଣ ଥିବା ବେଳେ ଉତ୍ତର ରିନେ ୱେଷ୍ଟଫାଲିଆ ରାଜ୍ୟରେ ୪୩ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ସ୍ଥାନରେ କୋଠା ଘର ଭୁଶୁଡି ପଡିବା ସହ ଯାନବାହନ ଆଦି ଭାସି ଯାଇଛି। ଜର୍ମାନୀର ୭୦୦ ଲୋକ ସଂଖ୍ୟା ବିଶିଷ୍ଟ ସୁଲ୍ଡ ଗ୍ରାମ ସମ୍ପୂର୍ଣ ଛାରଖାର ହୋଇଯାଇଥିବା ବେଳେ ଏରଫାଷ୍ଟେଡ ଗ୍ରାମର ସମସ୍ତ ଘର ଭୁଶୁଡି ପଡ଼ିଛି। ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ରେସକ୍ୟୁ ଅପରେସନ ଜାରି ରହିଛି। ତେବେ ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଫୋନ୍ ସଂଯୋଗ ମଧ୍ୟ ବାଧାପ୍ରାପ୍ତ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଜର୍ମାନୀ ଚାନ୍ସଲର ଆଞ୍ଜେଲା ମର୍କେଲ ଆକାଶ ମାର୍ଗରୁ ବନ୍ୟା ଅଂଚଳ ପରିଦର୍ଶନ କରିଛନ୍ତି। ଦେଶର ଦକ୍ଷିଣ ଏବଂ ପୂର୍ବ ଭାଗର ପ୍ରମୁଖ ରାଜପଥ ଜଳମଗ୍ନ ଥିବା ଯୋଗୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ହେଲିକପ୍ଟର ଦ୍ୱାରା ଲୋକଙ୍କୁ ଯୁଦ୍ଧସ୍ତରରେ ସୁରକ୍ଷିତ ଅଂଚଳକୁ ସ୍ଥାନାନ୍ତର କରାଯାଉଛି।
ଜର୍ମାନୀର ରାଷ୍ଟ୍ରପତି ଫ୍ରୈଙ୍କ ୱାଲ୍ଟର ଷ୍ଟିନମେୟର କହିଛନ୍ତି ଯେ, ବନ୍ୟାର ବିନାଶଲୀଳାରେ ଆମେ ସ୍ତବ୍ଧ। ବନ୍ୟା ପ୍ରଭାବିତ ଲୋକମାନଙ୍କୁ ସହାୟତା ଯୋଗାଇଦେବାକୁ ରାଷ୍ଟ୍ରପତି ଲୋକମାନଙ୍କ ନିକଟରେ ଅପିଲ୍ କରିଛନ୍ତି। ଏହି ବିପଦପୂର୍ଣ୍ଣ ଘଡିରେ ସମସ୍ତେ ଏକଜୁଟ ହୋଇ ସାହାଯ୍ୟ ଯୋଗାଇଦେବାକୁ ଆଗେଇ ଆସିବାକୁ ସେ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି।
Powered by Froala Editor