ମନ୍ତ୍ରୀ ବୋଲି କ’ଣ ନିୟମ ବାହାରେ? ଆଙ୍ଗୁଠିରେ ମାସ୍କ ଝୁଲାଇ ଟ୍ରୋଲ ହେଲେ ଯତିଶ୍ୱରାନନ୍ଦ

କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ସରକାର ଲକଡାଉନ, ସଟଡାଉନ ଭଳି ନିୟମ ଜାରି କରିଛନ୍ତି। ଏସବୁ ସତ୍ତ୍ବେ ସରକାର ବାରମ୍ବାର ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ହେଲେ ଉତ୍ତରାଖଣ୍ଡର ମନ୍ତ୍ରୀଙ୍କ ହାବଭାବ ଦେଖିଲେ ସେ ଏଥିପ୍ରତି କେତେ ସଚେତନ ସେନେଇ ପ୍ରଶ୍ନ ଉଠୁଛି।
ଉତ୍ତରାଖଣ୍ଡର ମନ୍ତ୍ରୀ ଯତିଶ୍ୱରାନନ୍ଦଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ମନ୍ତ୍ରୀ ଜଣକ ଅନ୍ୟ ଜଣେ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି। ତେବେ ମନ୍ତ୍ରୀଙ୍କ ମାସ୍କ ଲାଗିଛି ଗୋଡ ଆଙ୍ଗୁଠିରେ। ବେଶ୍ ହାଲକା ଭାବେ ମନ୍ତ୍ରୀ ମାସ୍କକୁ ମୁହଁରେ ନଲଗାଇ ଗୋଡ ଆଙ୍ଗୁଠିରେ ଝୁଲାଇ ରଖିଛନ୍ତି। ସୋସିଆଲ ମିଡିଆରେ ମନ୍ତ୍ରୀଙ୍କ ଏହି ଫଟୋ ଦେଖି ଲୋକେ ପ୍ରଶ୍ନ କରୁଛନ୍ତି ଯେ, ସବୁ ନିୟମ କାନୁନ କଣ ସାଧାରଣ ଲୋକଙ୍କ ପାଇଁ ? ନୀତି ନିର୍ଦ୍ଧାରଣ କରୁଥିବା ନେତା କଣ ନିୟମ ମାନିବେନି ?
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ କେତେଜଣ ମନ୍ତ୍ରୀ ଚୌକିରେ ବସି କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି। ଏହି ବୈଠକରେ ମନ୍ତ୍ରୀ ଯତିଶ୍ୱରାନନ୍ଦ ରାଜ୍ୟ କୃଷି ମନ୍ତ୍ରୀ ସୁବୋଧ ଉନିୟାଲ ଓ ବିଶନ ସିଂହ ଚୁକାଲଙ୍କ ସହ ବସି ଆଲୋଚନା କରୁଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, କାହା ମୁହଁରେ ବି ଠିକସେ ମାସ୍କ ନାହିଁ ଏବଂ ଯତିଶ୍ୱରାନନ୍ଦଙ୍କ ମୁହଁ ବଦଳରେ ପାଦ ଆଙ୍ଗୁଠିରେ ରହିଛି ମାସ୍କ। ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବା ସହ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
Powered by Froala Editor