ମାଟ୍ରିକ ଫର୍ମପୂରଣ କରିଛନ୍ତି ୨୨୪୪ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ

କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ନେଇ ହୋଇଥିବା ମୂଲ୍ୟାୟନକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଅଭିଭାବକଙ୍କ ସମେତ ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଥିଲେ । ମୂଲ୍ୟାୟନ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଅଫଲାଇନରେ ପରୀକ୍ଷା ହେବା ନେଇ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଏ ନେଇ ଗତକାଲି ଫର୍ମ ପୂରଣ ଅବଧି ଶେଷ ହୋଇଛି ।ଫର୍ମ ପୂରଣ ପରେ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ,ମୂଳ୍ୟାୟନରୁ ବଞ୍ଚିତ ଥିବା ବିଦ୍ୟାର୍ଥୀ ଆଦି ସବୁ ବର୍ଗର ପିଲାଙ୍କୁ ମିଶାଇ ସମୁଦାୟ ୧୫ ହଜାର ୨୭ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ସେଥିରୁ ରେଗୁଲାର ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଥିବା ୨୨୪୪ଜଣ ଫର୍ମ ପୂରଣ କରିଛନ୍ତି । ମାତ୍ର ୦.୩୯ ପ୍ରତିଶତ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ।ସୂଚନାଅନୁସାରେ,ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷାରେ ୫ଲକ୍ଷ ୭୪ ହଜାର ୧୨୫ଜଣ ରେଗୁଲାର ପିଲା ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ମାତ୍ର କୋରୋନା ପାଇଁ ପରୀକ୍ଷା ବାତିଲ କରାଯାଇଥିଲା । ନବମ ଶ୍ରେଣୀ ପରୀକ୍ଷା,ଦଶମ ଶ୍ରେଣୀ ପରୀକ୍ଷା ଓ ବିଦ୍ୟାଳୟର ୪ ବର୍ଷ ରେଜଲ୍ଟ ଆଧାରରେ ମୂଲ୍ୟାୟନ କରାଯାଇଥିଲା । ପାସ ହାର ବି ଭଲ ରହିଥିଲା । ତଥାପି ପିଲାଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା । ବୋର୍ଡ କାର୍ୟ୍ୟାଳୟ ଆଗରେ ଧାରଣା ଦେବା ସହିତ ରାସ୍ତାରେ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ ।ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅଫଲାଇନରେ ପରୀକ୍ଷା କରିବାକୁ ବୋର୍ଡ ପକ୍ଷରୁ ଘୋଷଣା ହୋଇଥିଲା । ଗତକାଲି ଫର୍ମ ପୂରଣ ଅବଧି ଶେଷ ହୋଇଛି । ଆସନ୍ତା ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ପରୀକ୍ଷା ହେବ ।
ଭୁବନେଶ୍ୱର ଓ ପୁରୀର ଯେଉଁ ଛାତ୍ରଛାତ୍ରୀ ମାଟ୍ରିକ ମାର୍କକୁ ନେଇ ଅସନ୍ତୁଷ୍ଟ ହେବା ସହ ଆନେ୍ଦାଳନକୁ ଓହ୍ଲାଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଫର୍ମ ପୂରଣ କରି ନ ଥିବା ଜଣାପଡ଼ିଛି । ତେବେ ଏକ୍ସ-ରେଗୁଲାରର ବହୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ମାଧ୍ୟମିକ ଶିକ୍ଷା ପରିଷଦ ତଥ୍ୟ ଅନୁଯାୟୀ ଦଶମ ପରୀକ୍ଷା ସମେତ ଏସଓଏସସି ଓ ମଧ୍ୟମା ପରୀକ୍ଷା ଲାଗି ମୋଟ ଉପରେ ୧୫ ହଜାର ୧୫୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ମାଟ୍ରିକ ପରୀକ୍ଷା ଲାଗି କେବଳ ୬୫୯୬ ଜଣ ଆବେଦନ କରିଛନ୍ତି । ସେଥିମଧ୍ୟରୁ ମାର୍କ ବୃଦ୍ଧି କରିବାକୁ ୨୨୪୪ ଜଣ ଫର୍ମ ପୂରଣ କରିଥିବା ବେଳେ ପରୀକ୍ଷା ଦେବାକୁ ବଞ୍ଚିତ ହୋଇଥିବା ୧୯୬ ଜଣ ନୂଆ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଏକ୍ସ-ରେଗୁଲାରର ୧୮୭୨, କରେସପଣ୍ଡେନ୍ସ ପାଠ୍ୟକ୍ରମ (ରେଗୁଲାର)ରେ ୨୨୫୫ ଓ କରେସପଣ୍ଡେନ୍ସ ପାଠ୍ୟକ୍ରମ(ଏକ୍ସ-ରେଗୁଲାର)ରେ ୨୯ ଜଣ ପରୀକ୍ଷା ଦେବା ପାଇଁ ଇଚ୍ଛୁକ ଅଛନ୍ତି । ଅନ୍ୟପକ୍ଷରେ ଏସଓଏସସିର ପରୀକ୍ଷା ପାଇଁ ୮ ହଜାର ୪୯୩ ଜଣ ଫର୍ମ ପୂରଣ କରିଛନ୍ତି । ଯେଉଁଥିରେ ନୂଆ କରି ୭ ହଜାର ୧୬୦ ଜଣ ଥିବା ବେଳେ ବ୍ୟାକର ୧୩୩୩ ଜଣ ରହିଛନ୍ତି । ମଧ୍ୟମା ପରୀକ୍ଷା ଲାଗି ମୋଟ ୬୬ ଜଣ ଫର୍ମ ପୂରଣ କରିଛନ୍ତି । ସେଥିରୁ ରେଗୁଲାରାରେ ୫୪ ଓ ଏକ୍ସ ରେଗୁଲାରରେ ୧୨ ଜଣ ଅଛନ୍ତି । ଜୁଲାଇ ୩୦ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଅଫଲାଇନରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଫର୍ମ ପୂରଣ ସରିଥିବାରୁ ଏବେ ପରୀକ୍ଷା ପାଇଁ ପରିଷଦ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି ।
Powered by Froala Editor