ନାବାଳକକୁ ବଞ୍ଚାଇବାକୁ ଯାଇ କୂଅରେ ଖସିପଡ଼ିଲେ ୩୨ ଜଣ
ଜଣେ ୧୪ ବର୍ଷୀୟ ନାବାଳକକୁ ବଞ୍ଚାଇବାକୁ ଯାଇ କୂଅକୁ ଡେଇଁ ପଡିଲେ ୩୨ ଜଣ ଲୋକ । ଏଭଳି ଅଘଟଣ ମଧ୍ୟପ୍ରଦେଶ ବିଦିଶା ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୫୦ କିଲୋମିଟର ଦୂର ଗଞ୍ଜବାସୌଦାରେ ଘଟିଛି।
ଜଣାପଡ଼ିଛି ଯେ, ଗଞ୍ଜବାସୌଦାର ଲାଲ ପଠାର ଗ୍ରାମରେ ଜଣେ ୧୪ ବର୍ଷୀୟ ନାବାଳକ ୩୦ ଫୁଟ ଗଭୀର କୂଅରେ ପଡ଼ିଯାଇଥିଲେ । କୂଅରେ ପ୍ରାୟ ୧୫ ଫୁଟ ପର୍ଯ୍ୟନ୍ତ ଜଳପୂର୍ଣ୍ଣ ରହିଥିବାରୁ ନାବାଳକକୁ ବଞ୍ଚାଇବାକୁ ଯାଇ କୂଅ ଚାରିପାଖେ ପ୍ରବଳ ଭିଡ଼ ଜମିଥିଲା । ଏହି ସମୟରେ କୂଅ ଉପରେ ସିମେଣ୍ଟର ସ୍ଲାବ ପକାଯାଇଥିଲା । ମାତ୍ର ଭିଡ଼ ପାଇଁ ତାହା ହଠାତ୍ ଭାଙ୍ଗିଯିବାରୁ ୩୨ ଜଣ କୂଅରେ ଖସି ପଡ଼ିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର ହୋଇଥିବା ୧୯ ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସ୍ପିଙ୍କ ସମେତ ଆହୁରି ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି।
ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହା ସହିତ ଆହତ ଲୋକଙ୍କୁ ମାଗଣାରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor