ଅମରିନ୍ଦର ମୁଖ୍ୟମନ୍ତ୍ରୀ ଏବଂ ସିଦ୍ଧୁ କଂଗ୍ରେସର ସଭାପତି ନିଯୁକ୍ତ ହେବେ
ପଞ୍ଜାବ କଂଗ୍ରେସର ବିବାଦରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି । ଦଳ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ରଖିବାକୁ ନିଷ୍ପତ୍ତି ନେଇଛି । ପ୍ରଭାରୀ ହରିସ୍ ରାୱତ ଦେଇଥିବା ସୂଚନା ଅନୁସାରେ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହେବେ। ଏଭଳି ହେଲେ ସିଦ୍ଧୁଙ୍କ ପାଇଁ ହେଉଥିବା ବିବାଦର ସମାଧାନ ହୋଇପାରିବ ବୋଲି ଦଳ ଏଭି ନିଷ୍ପତ୍ତି ନେଇଥିବା ପ୍ରଭାରୀ ହରିସ୍ ରାୱତ କହିଛନ୍ତି ।
ପଞ୍ଜାବରେ ଦୁଇ କଂଗ୍ରେସ ନେତାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ସମାଧାନ ପାଇଁ ଯେଉଁ କମିଟି ଗଠନ ହୋଇଥିଲା ସେଥିରେ ହରିସ୍ ରାଓ୍ୱତ ରହିଛନ୍ତି। ତେବେ ସିଦ୍ଧୁଙ୍କ ସହିତ ଦୁଇ କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ପଞ୍ଜାବ ପାଇଁ ନିଯୁକ୍ତ ରହିବେ ବୋଲି ସେ କହିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ହିନ୍ଦୁ ସ୍ୱର୍ଣ୍ଣ ସମୁଦାୟର ରହିବେ ଏବଂ ଅନ୍ୟ ଜଣେ ଦଳିତ ସମୁଦାୟର ରହିବେ ବୋଲି ସେ ସୂଚନା ଦେଇଛନ୍ତି। ଯଦିଓ ଗାନ୍ଧୀ ପରିବାର ସିଦ୍ଧୁଙ୍କ ସମର୍ଥନରେ ରହିଛି ହେଲେ ତୃଣମୂଳ ସ୍ତରର କଂଗ୍ରେସ ନେତା ସିଦ୍ଧୁଙ୍କୁ ନେଇ କ’ଣ ବିଚାର ରଖିଛନ୍ତି ହାଇକମାଣ୍ଡ ଜାଣିବାକୁ ଚେଷ୍ଟା କରୁଥିବା ସୂଚନା ରହିଛି। ଅନ୍ୟପଟେ ସିଦ୍ଧୁଙ୍କ କ୍ୟାମ୍ପ ମଧ୍ୟ ଆକ୍ଟିଭ ହୋଇ ତୃଣମୂଳ ସ୍ତରର ନେତା ଏବଂ ବିଧାୟକଙ୍କୁ ସମର୍ଥନ କରିବାକୁ ନିବେଦନ କରିଥିବା ସୂଚନା ରହିଛି।
Powered by Froala Editor