କଳିଙ୍ଗନଗରରୁ ସ୍ଥାନାନ୍ତର ହେବନି ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ

ନୂଆଦିଲ୍ଲୀ: କଳିଙ୍ଗନଗରରୁ ସ୍ଥାନାନ୍ତର ହେବନି ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନଏସଆଇ)। ଅବହେଳା ଯୋଗୁ ୨୫ ବର୍ଷ ହେବ କାର୍ଯ୍ୟକ୍ଷମ ହୋଇପାରିନଥିବା ଏହି ପ୍ରତିଷ୍ଠାନକୁ କଳିଙ୍ଗନଗରରୁ ରାଉରକେଲାକୁ ସ୍ଥାନାନ୍ତର ଉଦ୍ୟମ ହୋଇଥିଲା। ପୂର୍ବରୁ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ସ୍ଥାନାନ୍ତର ପାଇଁ ସବୁଜ ସଂକେତ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଯାଜପୁର ସାଂସଦ ଡ. ରବିନାରାୟଣ ବେହେରାଙ୍କ ଉଦ୍ୟମ ଯୋଗୁଁ ସ୍ଥାନାନ୍ତର ପ୍ରକ୍ରିୟା ବାତିଲ୍ ହୋଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ଭେଟିବା ଅବସରରେ ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ, ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ, ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ନୂଆଦିଲ୍ଲୀରେ କେନ୍ଦ୍ର ଇସ୍ପାତ, ଭାରୀଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଓ ସାଂସଦ ଆଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ତତ୍କାଳ ସ୍ଥାନାନ୍ତର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀରେ ବୁଧବାର କେନ୍ଦ୍ର ଇସ୍ପାତ ମନ୍ତ୍ରୀ କୁମାରସ୍ୱାମୀଙ୍କୁ ଭେଟି ଓଡ଼ିଶା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ଟାଟା, ଜେଏସଡବ୍ଲୁ ଭଳି ସମେତ ଅନ୍ୟାନ୍ୟ ବଡ଼ ଇସ୍ପାତ କାରଖାନାରୁ ବାର୍ଷିକ ୧୩ ଏମଟିପିଏ ଇସ୍ପାତ ଉତ୍ପାଦନ ହେଉଛି। ଭବିଷ୍ୟତରେ ଏଠାରୁ ବାର୍ଷିକ ୩୦ ଏମଟିପିଏ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରହିଛି। ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ ନିର୍ମାଣ ପାଇଁ ରାଜ୍ୟ ସରକାର କଳିଙ୍ଗ ନଗର ଅଞ୍ଚଳରେ ୨୫ ଏକର ଜମି ସମେତ ସିଟି କ୍ୟାମ୍ପସ ନିର୍ମାଣ ପାଇଁ ଭୁବନେଶ୍ୱରର ବାଲିଅନ୍ତା ଠାରେ ୫ ଏକର ଜମି ଆବଣ୍ଟିତ କରିଛନ୍ତି। ଦେଶରେ ବାର୍ଷିକ ୩ଶହ ଏମପିଟିଏ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ପୂରଣ ପାଇଁ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଭଳି ଉତ୍ସର୍ଗୀକୃତ ଦକ୍ଷତା ବିକାଶ ପ୍ରତିଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ ଏବଂ ସିଟି କ୍ୟାମ୍ପସ ନିର୍ମାଣ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ। ଅସ୍ଥାୟୀ କ୍ୟାମ୍ପସ ନିର୍ମାଣ ଏବଂ ଭିତ୍ତିଭୂମି ନିର୍ମାଣ ନିମନ୍ତେ ରାଜ୍ୟ ସରକାର ସମସ୍ତ ଆନୁସଙ୍ଗିକ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନକୁ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ଭାବେ ଗଢ଼ିତୋଳିବାକୁ ମୁଖ୍ୟମନ୍ତ୍ରୀ ମାଝୀ ପ୍ରସ୍ତାବ ଦେଇଥିଲେ। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ପ୍ରସଙ୍ଗରେ କେନ୍ଦ୍ର ସରକାର ସକାରାତ୍ମକ ଭାବେ ବିଚାର କରି ସ୍ଥାନାନ୍ତର ନିଷ୍ପତିକୁ ରଦ୍ଦ କରିବେ ବୋଲି ମନ୍ତ୍ରୀ କୁମାରସ୍ୱାମୀ କହିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କିଛିଦିନ ତଳେ ମଧ୍ୟ ଇସ୍ପାତ ମନ୍ତ୍ରୀଙ୍କୁ ଜାତୀୟ ଇସ୍ପାତ ପ୍ରତିଷ୍ଠାନ କଳିଙ୍ଗନଗରରୁ ରାଉରକେଲା ସ୍ଥାନାନ୍ତର ବାତିଲ୍ କରିବା ପାଇଁ ଏକ ପତ୍ର ଲେଖିଥିଲେ।
Powered by Froala Editor