ପଞ୍ଚାୟତର ଅଜବ ନିୟମ : ପ୍ରେମ ବିବାହ କରି ପାରିବେ ନାହିଁ

ପଞ୍ଜାବର ମୋହାଲି ଜିଲ୍ଲାର ଏକ ଗ୍ରାମ ପଞ୍ଚାୟତ ପ୍ରେମ ବିବାହ ଉପରେ ଅଙ୍କୁଶ ଲଗାଛନ୍ତି। ଚଣ୍ଡିଗଡ଼ରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ମାନକପୁର ସରିଫ୍ ଗ୍ରାମ ପଞ୍ଚାୟତର ଏହି ନିଷ୍ପତ୍ତି ପରେ ରାଜନେତା ଏବଂ ମାନବାଧିକାର କର୍ମୀମାନଙ୍କ ଦ୍ୱାରା ତୀବ୍ର ସମାଲୋଚନାର ଶିକାର ହୋଇଛି।
ଏହି ଘଟଣା ସାମ୍ବିଧାନିକ ଭାବରେ ବୈଧ ହୋଇ ନଥିବା ବେଳେ ଏମିତି ନିୟମ ଲାଗୁ କରିବା ନେଇ ପଞ୍ଚାୟତଗୁଡ଼ିକର ଅଧିକାର ନାହିଁ। କୌଣସି ପଞ୍ଚାୟତ ଯୁବକ/ଯୁବତୀଙ୍କୁ ନିଜ ଗାଁରେ ବିବାହ କରିବାରୁ ରୋକିପାରିବ ନାହିଁ। କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ ପଞ୍ଚାୟତଗୁଡ଼ିକ ଏପରି ନିଷ୍ପତ୍ତିକୁ ଉପଯୁକ୍ତ ବୋଲି ବିବେଚନା କରୁଛନ୍ତି।
ଜୁଲାଇ ୩୧ ତାରିଖରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ଏହି ପ୍ରସ୍ତାବରେ ପରିବାରର ଅନୁମୋଦନ ବିନା ବିବାହ କରୁଥିବା ଦମ୍ପତିମାନଙ୍କୁ ଗ୍ରାମ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ରହିବାକୁ ନିଷେଧ କରାଯାଇଛି। ଏହା ଏପରି ଦମ୍ପତିଙ୍କୁ ସମର୍ଥନ କିମ୍ବା ଆଶ୍ରୟ ଦେଉଥିବା ଯେକୌଣସି ଗ୍ରାମବାସୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛି। "ଏହା କୌଣସି ଦଣ୍ଡ ନୁହେଁ ବରଂ ଆମର ପରମ୍ପରାକୁ ସୁରକ୍ଷା ଦେବା ପାଇଁ ଏକ ପ୍ରତିରୋଧକ ପଦକ୍ଷେପ," ବୋଲି ଗାଁର ସରପଞ୍ଚ ଦଲବୀର ସିଂହ କହିଛନ୍ତି।
ସରପଞ୍ଚମାନେ ପଞ୍ଜାବ ସରକାରଙ୍କୁ ଏହି ପ୍ରସ୍ତାବକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ଏବଂ ପଞ୍ଜାବ ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ବିଚାର କରିବାକୁ ମଧ୍ୟ ଆବେଦନ କରିଛନ୍ତି।
Powered by Froala Editor