ବଡ଼ ଘୋଷଣା କଲେ ପଞ୍ଜାବ ସରକାର : ୫୯୦ କୋଟିର ଋଣ ଛାଡ଼
ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଶ୍ରମିକ ତଥା ଭୂମିହୀନ କୃଷି ସମ୍ପ୍ରଦାୟଙ୍କ ପାଇଁ କୃଷି ଋଣ ଛାଡ଼ ଯୋଜନା ଅଧୀନରେ ୫୯୦ କୋଟି ଟଙ୍କା ଋଣ ଛାଡ କରିବାକୁ ପଞ୍ଜାବ ସରକାର ଘୋଷଣା କରିଛନ୍ତି। ମଙ୍ଗଳବାର ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ସରକାରୀ ମୁଖପାତ୍ର କହିଛନ୍ତି, ୨୦ ଅଗଷ୍ଟରେ ଏହି ଚେକ୍ ଜାରି କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ ପ୍ରାଥମିକ ସହକାରୀ ସଭାର ୨,୮୫,୩୨୫ ସଦସ୍ୟଙ୍କ ୫୯୦ କୋଟି ଟଙ୍କାର ଋଣ ଛାଡ଼ କରାଯିବ। ଏହାଦ୍ବାରା ପ୍ରତି ସଦସ୍ୟଙ୍କୁ ପାଖାପାଖି ୨୦ ହଜାର ଟଙ୍କାର ସହାୟତା ମିଳିବ। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଅର୍ଥ ଏବଂ ସହଯୋଗ ବିଭାଗକୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିର୍ଦ୍ଦେଶ ଦେଇଛନ୍ତି।
ପଞ୍ଜାବ ସରକାର ପଞ୍ଜାବ କୃଷି ସହକାରୀ ସଭା-୨୦୧୯ ଅନୁଯାୟୀ ‘ଋଣ ଛାଡ ଯୋଜନା’ ଅଧୀନରେ ଅନେକ କୃଷକଙ୍କ ଋଣ ଛାଡ କରିସାରିଛନ୍ତି। ଏପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ୫.୬୪ ଲକ୍ଷ ଚାଷୀଙ୍କର ୪,୬୨୪ କୋଟି ଟଙ୍କା ଋଣ ଛାଡ କରାଯାଇଛି। ତେବେ କୃଷି ଋଣ ଛାଡ଼ କରିବା ନେଇ ପଞ୍ଜାବ କଂଗ୍ରେସ ୨୦୧୭ରେ ନିର୍ବାଚନୀ ଇସ୍ତାହାର ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲା।
Powered by Froala Editor